ଦୈନିକ ସଂକ୍ରମଣ ୩୦ ହଜାର ତଳେ…

ନୂଆଦିଲ୍ଲୀ,୨୪।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୪୬୭ରେ ପହଞ୍ଚିଛି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୩୦ ହଜାର ତଳେ ରହିଛି। ଏହି ସମୟ ମଧ୍ୟରେ କରୋନାରେ ୩୫୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ ରହିଛି। ଏହି ସମୟ ମଧ୍ୟରେ ୩୯ ହଜାର ୪୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୫୭ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୧୯ ହଜାର ୫୫୧ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୦ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୦୯ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୧୧୦ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୫୮ କୋଟି ୮୯ ଲକ୍ଷ ୯୭ ହଜାର ୮୦୫ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୬୩ ଲକ୍ଷ ୮୫ ହଜାର ୨୯୮ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୦ କୋଟି ୯୩ ଲକ୍ଷ ୯୧ ହଜାର ୭୯୨ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୬ ଲକ୍ଷ ୪୭ ହଜାର ୫୨୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୧୭ ଲକ୍ଷ ୨୦ ହଜାର ୧୧୨ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ମୋଟ ୩ କୋଟି ୨୪ ଲକ୍ଷ ୭୪ ହଜାର ୭୭୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି।

Share