Categories: ଜାତୀୟ

ଏସ୍‌ସି କମିଶନ ମୁଖ୍ୟଙ୍କୁ ଭେଟିଲେ ଓ୍ବାଙ୍ଖଡେ

ନୂଆଦିଲ୍ଲୀ,୧।୧୧: ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ଓ୍ବାଙ୍ଖଡେ ସୋମବାର ଜାତୀୟ ଅନୁସୂଚିତ ଜାତି କମିଶନ (ଏନ୍‌ସିଏସ୍‌ସି)ମୁଖ୍ୟ ବିଜୟ ସାମ୍ପଲାଙ୍କୁ ଦିଲ୍ଲୀଠାରେ ଭେଟିଛନ୍ତି। ଏଥିପୂର୍ବରୁ ଓ୍ବାଙ୍ଖଡେ ଏନ୍‌ସିଏସ୍‌ସିର ଭାଇସ୍‌ ଚେୟାରମ୍ୟାନ ଅରୁଣ ହଲଦରଙ୍କୁ ମୁମ୍ବାଇରେ ଭେଟିଥିଲେ। ଶନିବାର ବୈଠକ ପରେ ଅରୁଣ ହଲଦର ଓ୍ବାଙ୍ଖଡେଙ୍କୁ କ୍ଲିନଚିଟ୍‌ ଦେଇଥିଲେ।

ଗତ ମାସରେ ଓ୍ବାଙ୍ଖଡେଙ୍କ ନାମରେ ଜାତିଗତ ପ୍ରମାଣପତ୍ରରେ ଫର୍ଜରି କରିଥିବା ଅଭିଯୋଗ ଆଣିଥିଲେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ବରିଷ୍ଠ ନେତା ନଓ୍ବାବ ମଲିକ। ସେ ଓ୍ବାଙ୍ଖଡେଙ୍କ ଜନ୍ମ ପ୍ରମାଣପତ୍ରର ଫଟୋ ମଧ୍ୟ ଶେୟାର କରିଥିଲେ। ଏହାପରେ ଓ୍ବାଙ୍ଖଡେ ଅଭିଯୋଗ କରିଥିଲେ ଏନ୍‌ସିଏସ୍‌ସିରେ। ଏକ ପ୍ରେସ ବିବୃତିରେ ନଓ୍ବାବ ମଲିକଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ବାପା ଜଣେ ହିନ୍ଦୁ ଓ ତାଙ୍କ ସ୍ବର୍ଗତ ମା’ ମୁସଲିମ ଥିଲେ ବୋଲି ଦାବି କରିଥିଲେ।

Share