Categories: ଜାତୀୟ

ବଳାତ୍କାର ପୀଡ଼ିତାଙ୍କ କମ୍‌ ବୟସ ମୃତ୍ୟୁଦଣ୍ଡାଦେଶ ପାଇଁ ପର୍ଯ୍ୟାପ୍ତ ନୁହେଁ…

ନୂଆଦିଲ୍ଲୀ,୧୦।୧୧: ବଳାତ୍କାର ପୀଡ଼ିତାଙ୍କ କମ୍‌ ବୟସ ମୃତ୍ୟୁଦଣ୍ଡାଦେଶ ପାଇଁ କେବଳ ଏକ ମାତ୍ର ଅବା ପର୍ଯ୍ୟାପ୍ତ କାରଣ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ବିଚାରପତି ଏଲ୍‌.ନାଗେଶ୍ୱର ରାଓ, ସଞ୍ଜୀବ୍‌ ଖାନ୍ନା ଏବଂ ବି.ଆର୍‌.ଗାଭାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ଏରପ୍ପା ସିଦ୍ଧପ୍ପା ମୁର୍ଗାନାଭାରଙ୍କ ମୃତ୍ୟୁ ଦଣ୍ଡାଦେଶକୁ କମ୍‌ କରି ଖଣ୍ଡପୀଠ ଏହା କହିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଏରପ୍ପା ଜଣେ ୫ ବର୍ଷ ବୟସ୍କା ବାଳିକାଙ୍କୁ ବଳାତ୍କାର କରିବା ପରେ ଗଳା ଚିପି ହତ୍ୟା କରି ବସ୍ତାରେ ଭର୍ତ୍ତି କରି ବେନିହାଲା କେନାଲରେ ଫିଙ୍ଗି ଦେଇଥିଲେ। ବିସ୍କୁଟର ପ୍ରଲୋଭନ ଦେଖାଇ ସେ ଏଭଳି କରିଥିଲେ।

ଏହି ମାମଲାରେ ଶୀର୍ଷ କୋର୍ଟ ଶତ୍ରୁଘ୍ନ ବବନ ମେଶ୍ରାମ ବନାମ ମହାରାଷ୍ଟ୍ର ରାଜ୍ୟ(୨୦୨୧) ୧ ଏସଏସସି ୫୯୬ର ଫଇସଲା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଥିରେ ଗତ ୪୦ ବର୍ଷ ଧରି ସୁପ୍ରିମ୍‌କୋର୍ଟଙ୍କର ୬୭ ଫଇସଲା ଉପରେ ସର୍ଭେ କରାଯାଇଛି। ଏସବୁ ଫଇସଲା ମଧ୍ୟରୁ ୧୨ଟିରେ ନିମ୍ନ ଅଦାଲତ ଅବା ଉଚ୍ଚ ଅଦାଲତ ଦ୍ୱାରା ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ ଏବଂ ୩୦୨ ଅନ୍ତର୍ଗତ ମୃତ୍ୟୁଦଣ୍ଡାଦେଶ ହୋଇଛି। ଏସବୁ ମାମଲାରେ ପୀଡ଼ିତାଙ୍କ ବୟସ ୧୬ ବର୍ଷରୁ କମ୍‌ ରହିଛି। ସେହିପରି ଅନ୍ୟ ୫୧ ମାମଲାରେ ପୀଡ଼ିତାଙ୍କ ବୟସ ୧୨ ବର୍ଷରୁ କମ୍‌ ରହିଥିବା ଏଥିରେ ଉଲ୍ଲେଖ କରାଯାଇଛି।

ଏହାର ବିଶ୍ଳେଷଣ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ବଳାତ୍କାର ମାମଲାରେ ପୀଡ଼ିତାଙ୍କ କମ୍‌ ବୟସ ମୃତ୍ୟୁଦଣ୍ଡାଦେଶ ପାଇଁ ପର୍ଯ୍ୟାପ୍ତ କାରଣ ନୁହେଁ ବୋଲି ଏଥିରୁ ପ୍ରତୀତ ହେଉଛି। ଯଦି ଏପରି ହୋଇଥାନ୍ତା ତେବେ ସମସ୍ତ ୬୭ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଥାନ୍ତା।

ମୃତ୍ୟୁ ଦଣ୍ଡାଦେଶ କମ୍‌ କରି ଖଣ୍ଡପୀଠ କହିଥିଲେ ଯେ, ଆବେଦନକାରୀଙ୍କର ପୂର୍ବରୁ କୌଣସି ଆପରାଧିକ ପୃଷ୍ଠଭୂମି ନାହିଁ। ଏଭଳି ଅପରାଧ ପାଇଁ ସେ ପୂର୍ବରୁ କୌଣସି ଯୋଜନା ପ୍ରସ୍ତୁତ କରିଥିବାରୁ ପ୍ରମାଣ ମଧ୍ୟ ନାହିଁ। ଆବେଦନକାରୀଙ୍କୁ ସୁଧାର କରି ହେବନାହିଁ ବୋଲି କୌଣସି ତଥ୍ୟ ମଧ୍ୟ ଦାଖଲ କରାଯାଇ ନାହିଁ। ସେହିପରି ଜେଲ୍‌ରେ ଆବେଦନକାରୀଙ୍କ ଆଚରଣ ବେଶ୍‌ ସନ୍ତୋଷ ଜନକ ମଧ୍ୟ ରହିଛି। ତାଙ୍କର ବୟସ ୨୩-୨୫ ମଧ୍ୟରେ। ସେ ଅତ୍ୟନ୍ତ ଗରିବ।

ଇତିମଧ୍ୟରେ ସେ ୧୦ ବର୍ଷ ୧୦ ମାସ ଜେଲ୍‌ରେ ବିତାଇ ସାରିଛନ୍ତି। ତେଣୁ ତାଙ୍କର ମୃତ୍ୟୁ ଦଣ୍ଡକୁ କୋହଳ କରାଯାଇଥିବା ଶୀର୍ଷ କୋର୍ଟ କହିଛନ୍ତି। ତେବେ ତାଙ୍କୁ ୩୦ ବର୍ଷ କାରାଦଣ୍ଡାଦେଶ ପୂର୍ବରୁ ମୁକ୍ତ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି।

Share