ମାଟିତଳେ ଲୁଚାଯାଇଥିଲା ବିସ୍ଫୋରକ

ମାଲକାନଗିରି,୮।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ନୂତନ କରି ନିର୍ମାଣ ହୋଇଥିବା ଘନବେଡା ସିଓବି ୯ ବାଟାଲିୟନର ବିଏସ୍‌ଏଫ୍‌କୁ ଏକ ବଡ଼ ସଫଳତା ମିଳିଛି। ଜଙ୍ଗଲରେ କିଛି ମାଓବାଦୀ ସାମଗ୍ରୀ ଲୁଚାଇ ରଖିଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ ଶନିବାର ଯବାନମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆନ୍ଧ୍ର ସୀମାନ୍ତ କୋରିଗନ୍ଧି ଗ୍ରାମ ନିକଟ ଜଙ୍ଗଲରେ ମାଟିତଳେ ପୋତା ଯାଇଥିବା କିଛି ମାଓବାଦୀ ସାମଗ୍ରୀ ଜବତ କରାଯାଇଥିଲା। ତେବେ ଏହି ସର୍ଚ୍ଚ ସମୟରେ ଉଦ୍ଧାର ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ୫ଟି ଅତ୍ୟାଧୁନିକ ଆଇଡି, ଦୁଇଟି ଚାଇନା ନିର୍ମିତ ବାଇନାକୁଲାର, ଇଲେଟ୍ରିକ୍‌ ତାର ସହ ବ୍ୟାପକ ମାଓବାଦୀ ବ୍ୟବହୃତ ସାମଗ୍ରୀ ରହିଥିଲା । ତେବେ ସମସ୍ତ ସାମଗ୍ରୀ ମାଟି ତଳେ ଲୁଚାଯାଇଥିଲା। ବିସ୍ଫୋରକକୁ ଉଦ୍ଧାର କରିବା ସହ ଯବାନମାନେ ତାକୁ ନିଷ୍କ୍ରିୟ କରିଥିଲେ। କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ମାଓବାଦୀଙ୍କ ପାଖରେ ଚାଇନା ନିର୍ମିତ ବାଇନାକୁଲାର ଆସିଲା କେଉଁଠୁ?