ଦୁନିଆର ଆବଶ୍ୟକତାକୁ ବୁଝିଲେ ସ୍କିଲ୍‌ ଦୂରତାକୁ ହ୍ରାସ କରିପାରିବା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ବଜାରର ଆବଶ୍ୟକତା ଏବଂ ଭିତ୍ତିଭୂମିର ବିକାଶ ପାଇଁ ଦରକାର ଥିବା ଦକ୍ଷତା ଉପରେ ମ୍ୟାପିଂ ହେବା ଦରକାର। ଦୁନିଆର ଆବଶ୍ୟକତାକୁ ବୁଝିଲେ ହିଁ ଆମେ ସ୍କିଲ୍‌ ଦୂରତାକୁ ହ୍ରାସ କରିପାରିବା ବୋଲି ମଙ୍ଗଳବାର ନୂଆଦିଲ୍ଲୀଠାରେ ‘ଇଣ୍ଡିଆ ସ୍କିଲ୍‌ ୨୦୨୩-୨୪’ର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ କରିଛନ୍ତି। ସେହିପରି ସ୍କିଲ୍‌ ପ୍ରତିଯୋଗିତାରେ ୨୫ ଲକ୍ଷ ଲୋକଙ୍କୁ ଯୋଡ଼ିବା ପାଇଁ ଧର୍ମେନ୍ଦ୍ର ଆହ୍ବାନ କରିଛନ୍ତି।
ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ୨୦୨୪ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ଭାରତକୁ ବିକଶିତ କରିବାକୁ ହେଲେ ସମସ୍ତଙ୍କୁ ସ୍କିଲ୍‌ଡ କରିବାକୁ ହେବ। ଭାରତ ହେଉଛି ଯୁବଶକ୍ତିର ଦେଶ। ଯୁବବର୍ଗଙ୍କୁ ସ୍କିଲ୍‌ଡ ନ କଲେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ତେଣୁ ଶିଳ୍ପ, ଶିକ୍ଷାନୁଷ୍ଠାନ ସହ ମିଳିତ ଭାବେ ସମସ୍ତଙ୍କ ସାମର୍ଥ୍ୟକୁ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ। ଦେଶରେ ବେରୋଜଗାରୀ ହ୍ରାସ ପାଇଛି। ଭାରତରେ ୨୦୧୭ରେ ବେରୋଜଗାରୀ ହାର ୬ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି। କ୍ରମାଗତ ଭାବେ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବଢୁଛି। ସମସ୍ତଙ୍କୁ ବିଶେଷ ଭାବେ କର୍ମ କ୍ଷେତ୍ରରେ ଥିବା ସବୁ ଗ୍ରୁପର ଲୋକଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍‌ ସ୍କିଲିଂ କରାଇବାକୁ ପଡ଼ିବ। ଭାରତର ହସ୍ତତନ୍ତ, ବୟନ ଶିଳ୍ପ ଦୁନିଆର କେଉଁ ସ୍ଥାନରେ ମିଳେନାହିଁ। ଏହା ହିଁ ଆମ ଭାରତର ଦକ୍ଷତା। ବିଶ୍ୱ ଏବେ ଭାରତକୁ ଅନୁସରଣ କରୁଛି। ଆମ ଦେଶରେ ପୁସ୍ତକର ମହତ୍ତ୍ୱ ଅଧିକ। ତେବେ ଡିଗ୍ରୀ ଅପେକ୍ଷା ଅଧିକ ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର। ଦେଶର ଛାତ୍ରୀଛାତ୍ରମାନେ ବିଶେଷ ପାଠ୍ୟକ୍ରମକୁ ଆପଣାଇବାରେ ଆଗକୁ ବଢୁଛନ୍ତି। ସମସ୍ତଙ୍କ ମଧ୍ୟରେ କିଛି ନା କିଛି ରୁଚି ଅଛି। ପିଲାଙ୍କ ରୁଚି ଅନୁସାରେ ପାଠ ପଢ଼ାଇବା ଉପରେ ଜାତୀୟ ଶିକ୍ଷା ନୀତିରେ ପ୍ରାଧାନ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ୱାର୍ଲଡ ସ୍କିଲ୍ସ ୨୦୨୨ର ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ସହ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

Share