ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ, ଉନ୍ନୟନ କାମ ଦେଖିଲେ

ନବରଙ୍ଗପୁର,୨୨।୨(ବି.ପ୍ର): ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ର ଓ ଏସ୍‌ପି ଏସ୍‌.ସୁଶ୍ରୀ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟ ଗ୍ରସ୍ତ କରି ରୋଗୀ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରେ କିଭଳି ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ବୁଝିବା ସହ ଭିତ୍ତିଭୂମି ସୁଦୃଢ କରିବା ପାଇଁ ନିଆ ଯାଇଥିବା କାର୍ଯ୍ୟ ବୁଲି ଦେଖିଥିଲେ। କାର୍ଯ୍ୟ ବିଳମ୍ବ ହେଉଥିବାରୁ ଅଧିକାରୀଙ୍କୁ ଯଥାଶୀଘ୍ର ତାହା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଜିଲାପାଳ ଓ ଏସ୍‌ପି ଚିକିତ୍ସା ସମ୍ବନ୍ଧିତ ମେଶିନଗୁଡ଼ିକ ରୋଗୀଙ୍କ ହିତ କାମରେ ଆସୁଛି କି ନାହିଁ ତାହା ବୁଝିଥିଲେ। ଚିକିତ୍ସା ସୁବିଧା ଓ ସେବା ଠିକ୍‌ଭାବେ ମିଳୁଛି କି ନାହିଁ ତାହାକୁ ନେଇ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ। ପାକିଂ ବ୍ୟବସ୍ଥା କରିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି। ସେହିଭଳି ପୁନର୍ବାସ ପୁରୁଣା କୋଠାକୁ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମେଡ଼ିକାଲ ପରିସରରେ ରହିଥିବା ପୁରୁଣା କ୍ବାଟରର ମରାମତି ଆବଶ୍ୟକ ରହିଥିବା ସିଡିଏମ୍‌ଓ କାଳୀ ପ୍ରସାଦ ବେହେରା କହିଥିଲେ। ଡାକ୍ତରଙ୍କ କ୍ବାଟରକୁ ଯିବାକୁ ପକ୍କା ରାସ୍ତା ନିର୍ମାଣ ବ୍ୟବସ୍ଥା କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ସ୍ବାସ୍ଥ୍ୟ ବ୍ୟବସ୍ଥା ଠିକ କରାଯିବ ଓ ସମସ୍ତ ଉନ୍ନୟନ କାର୍ଯ୍ୟ ମଧ୍ୟ ଚାଲିବ ବୋଲି ଜିଲାପାଳ କହିଚନ୍ତି। ଏହି ଗସ୍ତ ବେଳେ ସିଡିଏମ୍‌ଓଙ୍କ ସମେତ ଜାତୀୟ ସ୍ବାସ୍ଥ୍ୟ ମିଶନ ପ୍ରୋଗ୍ରାମ ମ୍ୟାନେଜର ସୁଶାନ୍ତ ପ୍ରହରାଜ, ହସ୍ପିଟାଲ ମ୍ୟାନେଜର, ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଓ ମେଡିକାଲର ବୈଷୟିକ କର୍ମଚାରି ଉପସ୍ଥିତ ଥିଲେ।

Share