ଅନ୍ତଃବସ୍ତ୍ରକୁ ପୋତା ଯାଉଛି ମାଟିରେ…

ଜୁରିଚ୍‌,୧୯।୪: ଅନ୍ତଃବସ୍ତ୍ରକୁ ପୋଷାକ ତଳେ ପିନ୍ଧା ଯାଏ। ତେବେ ଏହାକୁ ମାଟିରେ ପୋତିଯାଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି କାର୍ଯ୍ୟ ସ୍ବିଜରଲାଣ୍ଡରେ କରାଯାଉଛି। ମାଟିର ଗୁଣବତ୍ତା ପରୀକ୍ଷା କରିବା ପାଇଁ ଷ୍ଟେଟ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଏଗ୍ରୋସ୍କୋପ୍‌ ପକ୍ଷରୁ ଧଳା ଅନ୍ତଃବସ୍ତ୍ରକୁ ମାଟିରେ ପୋତିବା କାର୍ଯ୍ୟ ଜାରି ରହିଛି। ଏବେ ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମାଟିର ମାନକ ପରୀକ୍ଷାରେ ନିୟୋଜିତ ଗବେଷକ ଏନେଇ ଗବେଷଣା ଜାରି ରଖିଛନ୍ତି। ମାଟିରେ ରହିଥିବା ବିଘଟକ ଅନ୍ତଃବସ୍ତ୍ରକୁ କେତେ ନଷ୍ଟ କରୁଛନ୍ତି। ଏଥିପାଇଁ କେତେ ସମୟ ଲାଗୁଛି। ତଥା ମାଟିର ଉର୍ବରା ଶକ୍ତି ବୃଦ୍ଧି ପାଉଛି କି କାହିଁ ଏବଂ ଏଥିରେ କେତେ ପରିମାଣର ଏସିଡ୍‌ (ଅମ୍ଳ) ଓ ବେସ୍‌ (କ୍ଷାର) ରହିଛି ତାହାର ଯାଞ୍ଚ୍‌ କରାଯାଉଛି। ମାସେ ପରେ ଅନ୍ତଃବସ୍ତ୍ରଗୁଡ଼ିକୁ ବାହାର କରାଯାଉଛି। ଅନ୍ତଃବସ୍ତ୍ର ଅଧିକ ନଷ୍ଟ ହେଲେ ପୋତା ଯାଇଥିବା ମାଟିରର ଉର୍ବରା ଶକ୍ତି ବେଶି ରହିଥିବା ଗବେଷକମାନେ ମତପୋଷଣ କରୁଛନ୍ତି।

Share