ଚାକିରି ନାହିଁ, ଦେଶ ଛାଡ଼ିବାକୁ ଚାହୁଁଛନ୍ତି ହତାଶ ଯୁବବର୍ଗ…

ନୂଆଦିଲ୍ଲୀ, ୨୭।୧ : ଭାରତରେ ବେକାରୀ ପରିସ୍ଥିତି ଉତ୍କଟ ହେବାରେ ଲାଗିଛି। ଚାକିରି ନ ଥିବାରୁ ଯୁବବର୍ଗ ହତାଶ ହୋଇ ଦେଶ ଛାଡି ବିଦେଶ ଯିବାକୁ ଚାହୁଁଛନ୍ତି। କ୍ରମାଗତ ଏଭଳି ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସରକାରୀ ନୀତି ବିଫଳ ହେଉଥିବାରୁ ଯୁବବର୍ଗ ନିରାଶ ହେବାରେ ଲାଗିଛନ୍ତି।

ମୁମ୍ବାଇ ସ୍ଥିତ ସେଣ୍ଟର୍‌ ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ଅନୁଯାୟୀ, ଦେଶର ବେରୋଜଗାରୀ ହାର ଗତ ୫ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ହାରଠାରୁ ଅଧିକ ରହିଛି। ଏଭଳିସ୍ଥଳେ କରୋନା ମହାମାରୀ ଯୋଗୁ ସ୍ଥିତି ଅଧିକ ସଙ୍କଟ ଜନକ ହୋଇଛି। ଏପ୍ରିଲ ୨୨୦୨୦ରେ ଭାରତର ବେକାରୀ ହାର ସର୍ବାଧିକ ୨୩.୫ ପ୍ରତିଶତ ଛୁଇଁଥିଲା।

ଗତ ୨୦୨୧ ଡିସେମ୍ବରରେ ଏହା ୭.୯ ପ୍ରତିଶତ ଥିଲା। ତୁଳନାତ୍ମକ ଭାବରେ, ଡିସେମ୍ବରରେ କାନାଡାର ବେକାରୀ ହାର ୫.୯ ପ୍ରତିଶତ ଥିଲା, ଯାହା ବିଶ୍ୱର ଅନ୍ୟ ଧନୀ ଦେଶ ଅପେକ୍ଷା ଭଲ। ଅଧିକାଂଶ ଧନୀ ଦେଶ ୨୦୨୧ ଅକ୍ଟୋବରରେ ଷଷ୍ଠ ମାସ ପାଇଁ ବେକାରୀ ହାରରେ ହ୍ରାସ ଘଟିଥିବା ନେଇ ନିଜ ନିଜ ରିପୋର୍ଟ ପ୍ରକାଶ କରିଛନ୍ତି। ଆମେରିକା ଭଳି ବହୁ ଦେଶ କର୍ମଚାରୀଙ୍କ ଅଭାବ ସହିତ ସଂଘର୍ଷ କରୁଛନ୍ତି।

ଭାରତ ପାଇଁ ଏହି ଅବସ୍ଥା ଅଧିକ ଖରାପ ହେବାରେ ଲାଗିଛି। କାରଣ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବ ପରି ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ ନୁହେଁ। ଏହି କାରଣରୁ ଯୁବକମାନେ ହତାଶ ହୋଇ ସେମାନଙ୍କ ଶିକ୍ଷା ଏବଂ କୌଶଳର ବିପରୀତ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଯେଉଁମାନେ ସକ୍ଷମ, ସେମାନେ ବିଦେଶକୁ ଯାଉଛନ୍ତି ।

ସିଏମଆଇଇର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କୁହନ୍ତି, ଦେଶର ଅବସ୍ଥା ଆହୁରି ଖରାପ ହେବାକୁ ଯାଉଛି। ଚାକିରୀ ମିଳୁନାହିଁ। ସମସ୍ୟା ହେଉଛି ଚାକିରୀ ଖୋଜୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସମାଲୋଚକମାନଙ୍କ ଅନୁସାରେ ଯୁବକମାନଙ୍କ ମଧ୍ୟରେ ଏହି ନିରାଶ ଭାବନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ ଦେଖାଦେଇଛି। ଯୁବବର୍ଗଙ୍କୁ ଚାକିରି ଯୋଗାଇଦେବା ଭଳି ବଡ ପ୍ରତିଶୃତି ମାଧ୍ୟମରେ କ୍ଷମତାକୁ ଆସିଥିଲେ।

ଏହି ପ୍ରସଙ୍ଗରେ ସରକାରଙ୍କ ଶ୍ରମ ଓ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମତାମତ ନିଆଯାଇଥିଲା, ମାତ୍ର କୌଣସି ଉତ୍ତର ମିଳି ନ ଥିଲା। ଗତ ମାସରେ, ଶ୍ରମ ମନ୍ତ୍ରଣାଳୟର ଚାକିରି ୱେବସାଇଟରେ ଚାକିରୀ ଖୋଜୁଥିବା ଲୋକଙ୍କ ସଂଖ୍ୟା ଏକ କୋଟି ୩୦ ଲକ୍ଷ ହୋଇଥିବାବେଳେ ଚାକିରି ଦୁଇ ଲକ୍ଷ ୨୦ ହଜାର ଥିଲା।

ଡିସେମ୍ବରରେ ଶ୍ରମ ମନ୍ତ୍ରଣାଳୟ ସଂସଦକୁ କହିଥିଲା ଯେ ଚାକିରୀ ସୃଷ୍ଟି କରିବା ଏବଂ ଯୁବକମାନଙ୍କୁ ଚାକିରୀ ଖୋଜିବା ଲାଗି ସକ୍ଷମ କରାଇବା ହେଉଛି ସରକାରଙ୍କ ପ୍ରାଥମିକତା। ଏପରିସ୍ଥଳେ ଛୋଟ ଶିଳ୍ପ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।

Share