ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିଛି। ଏହି ମହାମାରୀ ଯୋଗୁ କେବଳ ଲୋକଙ୍କ ଜୀବନ ଯାଇନାହିଁ, ଜୀବିକା ମଧ୍ୟ ଛଡ଼ାଇ ନେଇଛି। ସରକାରଙ୍କ କୋଭିଡ୍ କଟକଣା ଯୋଗୁ ବିଭିନ୍ନ ସଂସ୍ଥା ବନ୍ଦ ହୋଇ ରହିଛି। ଫଳରେ ଅନେକ ବ୍ୟକ୍ତି ରୋଜଗାର ହରାଇଛନ୍ତି। ମହାମାରୀରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଓ ଶଟ୍ଡାଉନ୍ ଭଳି କଡା ପଦକ୍ଷେପ ଗ୍ରହଣ କରାଗଲା। ଫଳରେ ଅନେକ ଲୋକ ନିଜ ଜୀବନଜୀବିକା ସହ ବୃତ୍ତି ମଧ୍ୟ ଛାଡିଛନ୍ତି। କଟକଣା ଯୋଗୁ କିଛି ସଂସ୍ଥାନ ପକ୍ଷରୁ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଆଉ କିଛି ଲୋକ ଲକ୍ଡାଉନ୍ ପାଇଁ କର୍ମସଂସ୍ଥାନକୁ ଯାଇ ନ ପାରି ମଧ୍ୟ ରୋଜଗାର ହରାଇଛନ୍ତି। ନିକଟରେ ପ୍ରକାଶିତ ଆଇଏଲ୍ଓର ଡାଟାବେସ୍ରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ୨୦୨୦-୨୧ ମଧ୍ୟରେ ଦେଶରେ ବେକାରି ହାର ୩ ଦଶକ ପଛକୁ ଚାଲିଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସଂସ୍ଥାର ରିପୋର୍ଟ ଅନୁସାରେ, ଶ୍ରମଜୀବୀ ହୋଇ କାର୍ଯ୍ୟ କରୁ ନ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦୨୦ରେ ୭.୧୧%କୁ ଖସି ଆସିଛି। ଫଳରେ ଦେଶରେ ବେକାରି ହାର ବ୍ୟାପକ ଭାବେ ବୃଦ୍ଧି ପାଇଛି। ସେହିଭଳି ୨୦୨୧ ଜାନୁୟାରୀରେ ବେକାରି ହାର ୬.୬୨% ଥିବା ବେଳେ ଏପ୍ରିଲରେ ଏହା ୭.୯୭% କୁ ବୃଦ୍ଧି ପାଇଛି।
ତେବେ ଲକ୍ଡାଉନ୍ ଓ ଅନ୍ୟାନ୍ୟ କଟକଣା ଯୋଗୁ ଏହି ସଂଖ୍ୟା ମେ ୧୬ ସୁଦ୍ଧା ୧୪.୫% କୁ ବୃଦ୍ଧି ପାଇଥିବା ବେଳେ ମେ ୨୩ ବେଳକୁ ୧୪.୭% ରେ ପହଞ୍ଚତ୍ୟାଇଛି। କେନ୍ଦ୍ର ସରକାରଙ୍କ ଲେବର ଫୋର୍ସ ସର୍ଭେର ଡାଟା ଅନୁସାରେ, ଦେଶର ବେକାରି ହାର ୨୦୧୭-୧୮ରେ ୬.୧% ଥିଲା; ଯାହା ଗତ ୪୫ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି। ୨୦୧୮-୧୯ରେ ଏହି ସ୍ଥିତିରେ ସାମାନ୍ୟ ସୁଧାର ଆସି ୫.୮% ରେ ରହିଥିଲା। ସେହିଭଳି ୨୦୨୦-୨୧ରେ ଉକ୍ତ ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଉଭା ହୋଇଛି। ସେହିପରି ୨୦୦୮ରେ ବେକାରି ହାର ୫.୩୬ %, ୨୦୧୦ରେ ୫.୬୫%, ୨୦୧୩ରେ ୫.୬୭%, ୨୦୧୯ରେ ୫.୨୭ % ରହିଛି; ଯାହା ୨୦୨୦ରେ ୭.୧୧% କୁ ବୃଦ୍ଧି ପାଇବା ସହ ଦେଶର ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ବୋଲି କୁହାଯାଇଛି। ସାରା ବିଶ୍ୱରେ ବେକାରି ହାର ୨୦୨୦ରେ ୬.୪୭ %କୁ ବୃଦ୍ଧି ପାଇଥିଲା। ୨୦୧୯ରେ ଏହା ୫.୩୭ % ରହିଥିଲା । ତେବେ ୧୯୯୧ରେ ସାରା ବିଶ୍ୱର ବେକାରି ହାର ପ୍ରାୟ ୪.୮% ରହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ,୨୦୦୯ରେ ଶ୍ରୀଲଙ୍କାରେ ଭାରତଠୁ ବେକାରି ହାର ଭଲ ଥିଲା। ଭାରତରେ ଏହା ୫.୬୧% ଥିବା ବେଳେ ଶ୍ରୀଲଙ୍କାରେ ୫.୮୫ %ରହିଥିଲା। ୨୦୨୦ରେ ବାଂଲାଦେଶରେ ବେକାରି ହାର ୫.୩% ଏବଂ ଶ୍ରୀଲଙ୍କାରେ ୪.୪୮ %, ପାକିସ୍ତାନରେ ୪.୬୫%, ନେପାଳରେ ୪.୪୪% ଓ ଭୁଟାନରେ ୩.୭୪ % ରହିଥିଲା। ୨୦୧୫ ରୁ ୨୦୧୯ ମଧ୍ୟରେ ଆମେରିକାର ସ୍ଥିତି ଭାରତଠୁ ଭଲ ଥିବା ବେଳେ ୨୦୨୦ରେ କିନ୍ତୁ ବେକାରି ହାର ଭାରତ ତୁଳନାରେ ଅଧିକ ରହିଛି।