ନୂଆଦିଲ୍ଲୀ,୨୬।୨: ୨୦୨୨ରେ ଭାରତର ଯୁବ ବେରୋଜଗାରି ହାର ୨୩.୨୨% ଥିଲା, ଯାହାକି ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ। ଯୁବ ବେରୋଜଗାରି ହାର ପାକିସ୍ତାନରେ ୧୧.୩% ଥିବାବେଳେ ବାଂଲାଦେଶରେ ୧୨.୯% ଓ ଭୁଟାନରେ ୧୪.୪% ଥିଲା। ସେହି ବର୍ଷ ଚାଇନାରେ ବେକାରି ହାର ୧୩.୨ ପ୍ରତିଶତ ରହିଥିବା ବିଶ୍ୱବ୍ୟାଙ୍କ ରିପୋର୍ଟରୁ ଜଣାପଡ଼ିଛି।
ଶ୍ରମ ସଙ୍ଗଠନ (ଆଇଏଲ୍ଓ)ର ଆକଳନ ଆଧାରରେ ପ୍ରସ୍ତୁତ ଉକ୍ତ ରିପୋର୍ଟ ଅନୁସାରେ ସିରିଆରେ ୨୨.୧%, ଇଣ୍ଡୋନେସିଆ ୧୩%, ମାଲେସିଆ ୧୧.୭%, ଭିଏଟ୍ନାମ ୭.୪%, ଦକ୍ଷିଣ କୋରିଆ ୬.୯% ଓ ସିଙ୍ଗାପୁରରେ ଯୁବ ବେରୋଜଗାରି ହାର ୬.୧% ରହିଥିଲା। ଯୁବ ବେରୋଜଗାରି କହିଲେ ଶ୍ରମଶକ୍ତିର ୧୫ରୁ ୨୪ ବର୍ଷ ବୟସ୍କ ବ୍ୟକ୍ତିକୁ ବୁଝାଏ, ଯାହାଙ୍କ ହାତରେ ନିଯୁକ୍ତି ନ ଥାଏ। ସେମାନେ ସ୍କୁଲ, କଲେଜରେ ସଦ୍ୟ ପାଠପଢ଼ା ସାରି ତତ୍ପରତା ସହ ଚାକିରି ଖୋଜୁଥାଆନ୍ତି। ୧୫-୩୪ ବର୍ଷ ବୟସ୍କ ପ୍ରାୟ ୩୬% ଭାରତୀୟ ଦେଶରେ ବେରୋଜଗାରିକୁ ସବୁଠୁ ବଡ଼ ସମସ୍ୟା ବୋଲି ମନେକରନ୍ତି। କ୍ୟାରିୟର ଅଭିଳାଷା, ନିଯୁକ୍ତି ପସନ୍ଦ ଓ ଭାରତୀୟ ଯୁବପିଢ଼ିଙ୍କ ଆକାଂକ୍ଷାକୁ ବିଶ୍ଲେଷଣ କରିବା ପାଇଁ ଲୋକନୀତି-ସିଏସ୍ଡିଏସ୍ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହି ବିଷୟ ଜଣାପଡ଼ିଛି। ଏଥିରେ ଆହୁରି କୁହାଯାଇଛି ଯେ, ଗତ ୧ ଦଶନ୍ଧି ମଧ୍ୟରେ ଭାରତର ଯୁବ ବେରୋଜଗାରି ହାର ପ୍ରାୟ ୨୨% ରହିଆସିଥିଲା।
‘ବେକାର’ ରୂପେ ପଞ୍ଜୀକୃତ ହେବା ପାଇଁ ଜଣେ ବ୍ୟକ୍ତି ନିଶ୍ଚିତ ଭାବେ କାର୍ଯ୍ୟକ୍ଷମ ଓ ବେରୋଜଗାର ହୋଇଥିବା ଦରକାର। ଏଥିସହ ସେ ଚାକିରି ମଧ୍ୟ ଖୋଜୁଥିବା ଆବଶ୍ୟକ। ସାଧାରଣତଃ ଯୁବ ବେରୋଜଗାରି ହାର ବୟସ୍କ ବେରୋଜଗାରି ହାରଠାରୁ ଅଧିକ ରହିଥାଏ। କାରଣ ଅନେକ ସ୍ନାତକ ଡିଗ୍ରୀ ହାସଲକାରୀ ବ୍ୟକ୍ତି ନିଜ ଶିକ୍ଷା ଶେଷ କରିବା ପରେ ଚାକିରି ପାଇ ନ ଥାନ୍ତି। ଭାରତରେ ମଧ୍ୟ ଏହି ସ୍ଥିତି ଦେଖିବାକୁ ମିଳିଥାଏ। ଜାତୀୟ ବେରୋଜଗାରି ହାରଠାରୁ ଯୁବ ବେରୋଜଗାରି ଅଧିକ ରହିଆସିଛି। ୨୦୨୦ରେ କୋଭିଡ୍-୧୯ ମହାମାରୀଜନିତ ଲକ୍ଡାଉନ୍ ବେଳେ ଦେଶରେ ବେରୋଜଗାରି ହାର ସର୍ବାଧିକ ୩୦.୯୦% ଥିବାବେଳେ ୨୦୨୧ରେ ଏହା ସାମାନ୍ୟ ହ୍ରାସ ପାଇ ୨୩.୮୯% ଥିଲା। ୨୦୨୨ରେ ଭାରତୀୟ ଯୁବ ବେରୋଜଗାରିଙ୍କ ହାର ୨୩.୨୨% ରହିଥିଲା। ତେବେ ଏସିଆ-ପ୍ରଶାନ୍ତ ମହାସାଗରିୟ କ୍ଷେତ୍ରର ରାଷ୍ଟ୍ରଗୁଡ଼ିକୁ ଦେଖିଲେ ଭାରତରେ ବେକାରି ସମସ୍ୟା ମଧ୍ୟମ ସ୍ଥିତିରେ ରହିଛି। କାମ୍ବୋଡିଆରେ ସର୍ବନିମ୍ନ ୧%ରୁ କମ୍ ବେରୋଜଗାରି ଥିବାବେଳେ ଆଫଗାନିସ୍ତାନରେ ଏହା ସର୍ବାଧିକ ୮.୮% ରହିଛି। ବିଗତ ୨ ଦଶନ୍ଧିର ସ୍ଥିତିକୁ ଅନୁଧ୍ୟାନ କଲେ ପୂର୍ବ ଏସିଆ ଓ ପାସିଫିକ୍ ତୁଳନାରେ ଆରବ ଜଗତରେ ବିଶ୍ୱର ସର୍ବାଧିକ ବେରୋଜଗାରି ରହିଥିବା ଜଣାଯାଏ।