Categories: ଜାତୀୟ

ସହରାଞ୍ଚଳରେ ବେରୋଜଗାର କମିଛି

ନୂଆଦିଲ୍ଲୀ,୧୦ା୧୦: ଚଳିତ ବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ସହରାଞ୍ଚଳରେ ବେରୋଜଗାର ହାର ୬.୬ ପ୍ରତିଶତକୁ ହ୍ରାସ ପାଇଛି। ବର୍ଷକ ପୂର୍ବରୁ ଏହି ହାର ୭.୬ ପ୍ରତିଶତ ଥିଲା ବୋଲି ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ) ତଥ୍ୟରୁ ଜଣାପଡ଼ିଛି। ଦେଶରେ କୋଭିଡ୍‌ଜନିତ କଟକଣା କାରଣରୁ ୨୦୨୨ ଏପ୍ରିଲରୁ ଜୁନ୍‌ ମଧ୍ୟରେ ବେରୋଜଗାର ହାର ଅଧିକ ରହିଥିଲା। ଏହି ସମୟରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ବେରୋଜଗାରଙ୍କ ହାର ୭.୬% ରହିଥିବା ପିରିଅଡିକ୍‌ ଲେବର ଫୋର୍ସ ସର୍ଭେରେ କୁହାଯାଇଛି। ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ବେରୋଜଗାର ହାର ୬.୮% ଥିଲା। ଗତବର୍ଷ ଜୁଲାଇ-ସେପ୍ଟେମ୍ବର ଏବଂ ଅକ୍ଟୋବର-ଡିସେମ୍ବରରେ ଏହି ହାର ୭.୨ ପ୍ରତିଶତ ରହିଥିଲା। ୨୦୨୩ ଏପ୍ରିଲ-ଜୁନ୍‌ରେ ସହରାଞ୍ଚଳ ମହିଳା ବେରୋଜଗାର ହାର ୯.୧ ପ୍ରତିଶତ ରହିଛି, ଯାହା ବର୍ଷେ ପୂର୍ବରୁ ୯. ୫ ପ୍ରତିଶତ ଥିଲା ବୋଲି ଏନ୍‌ଏସ୍‌ଏସ୍‌ଓ ତଥ୍ୟରୁ ଜଣାପଡ଼ିଛି॥ ସେହିପରି ସହରାଞ୍ଚଳରେ ପୁରୁଷ ବେରୋଜଗାର ହାର ଏପ୍ରିଲ-ଜୁନ୍‌ରେ ୫.୯ ପ୍ରତିଶତକୁ ହ୍ରାସ ପାଇଛି, ଯାହା ବର୍ଷକ ପୂର୍ବରୁ ୭.୧ ପ୍ରତିଶତ ରହିଥିଲା। ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ପୁରୁଷ ବେରୋଜଗାର ୬ ପ୍ରତିଶତ ଥିଲାବେଳେ ଗତବର୍ଷ ଅକ୍ଟୋବର-ଡିସେମ୍ବରରେ ୬.୫ ପ୍ରତିଶତ ଏବଂ ଜୁଲାଇ-ସେପ୍ଟେମ୍ବରରେ ୬.୬ ପ୍ରତିଶତ ରହିଥିଲା। ଚଳନ୍ତି ସାପ୍ତାହିକ ସ୍ତିତି (ସିଡବ୍ଲ୍ୟୁଏସ୍‌)ରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ଶ୍ରମଶକ୍ତି ନିୟୋଜନ ହାର ଚଳିତ ବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୪୮.୫ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଗତବର୍ଷ ଅକ୍ଟୋବର-ଡିସେମ୍ବରରେ ୪୮.୨ ଏବଂ ଜୁଲାଇ-ସେପ୍ଟେମ୍ବରରେ ୪୭.୯ ପ୍ରତିଶତ ଥିଲା।

Share