Categories: ବାଣିଜ୍ୟ

ମାର୍ଚ୍ଚରେ ବେରୋଜଗାର ହାର ୭.୮ %

ନୂଆଦିଲ୍ଲୀ,୩।୪: ବିଗତ କିଛି ମାସ ହେବ ଦେଶର ବେରୋଜଗାର ହାର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚ ମାସର ବେରୋଜଗାର ହାର ଗତ ୩ ମାସ ଅପେକ୍ଷା ସର୍ବାଧିକ ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ରିର୍ପୋଟରେ ଉଲ୍ଲେଖ କରାଯାଇଛି। ବିଶେଷ କରି ରବିବାର ସିଆଇଏମଇ ପକ୍ଷରୁ ୨୦୨୩ ମାର୍ଚ୍ଚ ମାସର ରିପୋର୍ଟ ପ୍ରକାଶ କରାଯାଇଛି। ଉକ୍ତ ରିର୍ପୋଟ ଅନୁସାରେ ଭାରତର ବେରୋଜଗାରୀ ହାର ୨୦୨୩ ମାର୍ଚ୍ଚରେ ୭.୮% ରହିଛି। ଅପରପକ୍ଷରେ ୨୦୨୨ ଡିସେମ୍ବର ମାସରୁ ଦେଶରେ ବେରୋଜଗାର ହାର ଲଗାତର ଭାବେ ବଢ଼ି ଚାଲିଛି, ସେତେବେଳେ ଏହି ହାର ୮.୩୦% ଥିଲା। ଏପରିକି ୨୦୨୩ ଜାନୁୟାରୀରେ ଉକ୍ତ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟି ୭.୧୪ ହୋଇଥିଲା। ହେଲେ୨୦୨୩ ଫେବୃୟାରୀରେ ଏହି ହାର ପୁଣି ବଢ଼ି ୭.୪୫% ହୋଇଥିଲା।

ଉଲ୍ଲେଖଯୋଗ୍ୟ ୨୦୨୩ ମାର୍ଚ୍ଚରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ବେକାରି ସୃଷ୍ଟି ହୋଇଛନ୍ତି। ଏପରିକି ସହରାଞ୍ଚଳରେ ବେକାରି ହାର ୮.୪% ରହିଥିବା ବେଳେ ଗ୍ରାମାଞ୍ଚଳରେ ୭.୫% ରହିଛି। ଏ ସମ୍ପର୍କରେ ସିଏମଆଇଇର ଏମଡି ମହେଶ ବ୍ୟାସ କହିଛନ୍ତି, ଚଳିତ ବର୍ଷ ମାର୍ଚ୍ଚରେ ଭାରତୀୟ ଶ୍ରମ ବଜାରରେ ହ୍ରାସ ଦେଖିବାକୁ ମିଳିଛି, ଏହାର ପ୍ରଭାବ ଶ୍ରମ ଶକ୍ତିର ଭାଗିଦାରିତା (ଲେବର ଫୋର୍ସ ପାର୍ଟିସ୍ପେସନ)ଉପରେ ମଧ୍ୟ ପକାଇଛି। ବିଶେଷ କରି ଶ୍ରମ ଶକ୍ତିର ଭାଗିଦାରିତା ହାର ୩୯.୯% ରୁ ୩୯.୮%କୁ ହ୍ରାସ ହୋଇଛି। ଫଳରେ ନିଯୁକ୍ତି ହାର ଫେବୃୟାରୀ ମାସ ୩୬.୯% ରୁ ଖସି ମାର୍ଚ୍ଚରେ ୩୬.୭% ରେ କମିଛି, ନିଯୁକ୍ତି ସଂଖ୍ୟା ୪୦୯.୯ ମିଲିୟନରୁ ୪୦୭.୬ ମିଲିୟନ ଖସିଛି।

ଅପରପକ୍ଷରେ ଦେଶରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ହରିଆଣାରେ ସର୍ବାଧିକ ବେରୋଜଗାରୀ ରହିଛି। ଏଠାରେ ବେରୋଜଗାରୀ ହାର ୨୬.୮% ରହିଥିବା ବେଳେ ରାଜସ୍ଥାନ ୨୬.୪%, ଜମ୍ମୁ-କଶ୍ମୀର ୨୩.୧%, ସିକ୍କିମ୨୦.୭% , ବିହାର ୧୭.୬% ଏବଂ ଝାଡଖଣ୍ଡରେ ବେରୋଜଗାରୀ ହାର ୧୭.୫%ରେ ରହିଛି। ତେବେ ନିଯୁକ୍ତି ଦେବାରେ ଛତିଶଗଡ଼ ସରକାର ଭଲ ପ୍ରଦର୍ଶନ କରିଛନ୍ତି। ଦେଶରେ ଛତିଶଗଡ଼ରେ ବେରୋଜଗାରୀ ହାର ସବୁଠାରୁ କମ୍‌ ରହିଛି। ଏଠାରେ ମାତ୍ର ୦.୮% ବେରୋଜଗାରୀ ହାର ରହିଥିବା ବେଳେ ତା ପଛକୁ ୧.୫% ସହ ପୁଡ଼ୁଚେରୀ ୧.୮% ଗୁଜରାଟ ୨.୩ % କର୍ନାଟକ, ଓଡ଼ିଶା ଓ ମେଘାଳୟରେ ବେରୋଜଗାରୀ ହାର ୨.୬% ରହିଛି।

Share