Categories: ଜାତୀୟ

ବେରୋଜଗାର ୭.୮୩%କୁ ବୃଦ୍ଧି

ନୂଆଦିଲ୍ଲୀ, ୩ା୫: ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି(ସିଏମ୍‌ଆଇଇ)ର ତଥ୍ୟ ଅନୁସାରେ ମାର୍ଚ୍ଚରେ ବେରୋଜଗାର ହାର ୭.୬୦% ଥିବା ବେଳେ ଏପ୍ରିଲ୍‌ରେ ତାହା ବୃଦ୍ଧି ଘଟି ୭.୮୩%ରେ ପହଞ୍ଚିଛି। ତଥ୍ୟ ଅନୁସାରେ ଏପ୍ରିଲରେ ସହରାଞ୍ଚଳ ବେରୋଜଗାର ହାର ବୃଦ୍ଧି ଘଟି ୯.୨୨%ରେ ପହଞ୍ଚିଛି। ମାର୍ଚ୍ଚରେ ତାହା ୮.୨୮% ଥିଲା। ଅନ୍ୟପଟେ ମାର୍ଚ୍ଚରେ ଗ୍ରାମାଞ୍ଚଳ ବେରୋଜଗାର ହାର ୭.୨୯% ଥିବା ବେଳେ ଏପ୍ରିଲ୍‌ରେ ତାହା ହ୍ରାସ ଘଟି ୭.୧୮% ରେ ପହଞ୍ଚିଛି। ଖବର ଏଜେନ୍ସି ରଏଟର ସୂଚନା ଅନୁସାରେ, ହରିୟାଣାରେ ୩୪.୫%ର ସର୍ବାଧିକ ବେରୋଜଗାର ହାର ରହିଛି। ସେହିପରି ଏହି ତାଲିକାର ୨ୟ ସ୍ଥାନରେ ରାଜସ୍ଥାନ (୨୮.୮%), ୩ୟରେ ବିହାର (୨୧.୧%), ଜମ୍ମୁ-କଶ୍ମୀର (୧୫.୬%) ୪ର୍ଥ ସ୍ଥାନରେ ରହିଛନ୍ତି। ଏହାଛଡ଼ା ଏପ୍ରିଲ୍‌ରେ ଶ୍ରମ ଶକ୍ତି ଅଂଶଗ୍ରହଣ ଏବଂ ନିଯୁକ୍ତି ହାର ବୃଦ୍ଧି ପାଇଥିବା ସିଏମ୍‌ଆଇଇ ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି। ଏହାଛଡ଼ା ମାର୍ଚ୍ଚରେ ନିଯୁକ୍ତି ହାର ୩୬.୪୬% ଥିବା ବେଳେ ମାର୍ଚ୍ଚରେ ତାହା ୩୭.୦୫% କୁ ବୃଦ୍ଧି ପାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

Share