ଖର୍ଚ୍ଚ ହୋଇ ପାରୁନି ବିଧାୟକ, ଏମ୍‌ପି ଆଞ୍ଚଳିକ ଉନ୍ନୟନ ପାଣ୍ଠି

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ରାଜ୍ୟରେ ବିଧାୟକ ଓ ଏମପି ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ଖର୍ଚ୍ଚ ହୋଇ ପାରୁ ନାହିଁ। ଦୀର୍ଘ ବର୍ଷ ଧରି ବହୁ କୋଟି ଟଙ୍କା ପଡ଼ି ରହୁଛି। ୨୦୧୪-୧୫ରୁ ୨୦୧୯-୨୦ ମସିହା ପର୍ଯ୍ୟନ୍ତ ରାଜ୍ୟର ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମଏଲଏ ଲ୍ୟାଡ୍‌) ବାର୍ଷିକ ୧ କୋଟି ଟଙ୍କା ଲେଖାଏ ରହିଥିଲା। ୨୦୨୦-୨୧ରୁ ବାର୍ଷିକ ୩କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୪-୧୫ରୁ ୨୦୧୯-୨୦ ମଧ୍ୟରେ ଏମଏଲଏ ଲ୍ୟାଡ୍‌ ବାବଦରେ ବାର୍ଷିକ ୧୪୭କୋଟି ଟଙ୍କା ଲେଖାଏ ମଞ୍ଜୁର ହୋଇଛି। ତେବେ ୨୦୧୪-୧୫ରେ ୫.୨୬କୋଟି, ୨୦୧୫-୧୬ରେ ୫.୮୯କୋଟି, ୨୦୧୬-୧୭ରେ ୯.୫୪କୋଟି, ୨୦୧୭-୧୮ରେ ୧୧.୮୮କୋଟି, ୨୦୧୮-୧୯ରେ ୧୫.୧୬କୋଟି ଓ ୨୦୧୯-୨୦ରେ ୨୭.୩୦କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଥିଲା। ବିଧାୟକ ଉନ୍ନୟନ ପାଣ୍ଠିପରିମାଣ ୨୦୨୦-୨୧ରୁ ବାର୍ଷିକ ୩କୋଟି ଟଙ୍କାକୁ ବୃଦ୍ଧି ପାଇବା ପରେ ୧୪୭ ବିଧାୟକଙ୍କ ନିମନ୍ତେ ମୋଟ ୪୪୧ କୋଟି ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି। ତେବେ ଏଥିରୁ ୨୦୨୦-୨୧ରେ ୧୫୪.୦୯ କୋଟି ଟଙ୍କା(ପ୍ରାୟ ୩୫%), ୨୦୨୧-୨୨ରେ ୨୦୮.୬୬କୋଟି ଟଙ୍କା(ପ୍ରାୟ ୪୭.୩୧%) ଓ ୨୦୨୨-୨୩ରେ ୨୮୭.୪୫ କୋଟି ଟଙ୍କା(ପ୍ରାୟ ୬୫.୧୮%) ଖର୍ଚ୍ଚ ନହୋଇ ପଡ଼ିରହିଛି। ଗୁରୁବାର ବିଧାନସଭାରେ ଭାଜପା ବିଧାୟକ ବିଧାୟକ ନବଚରଣ ମାଝୀଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ସୂଚନା ଦେଇଛନ୍ତି।
ସମ୍ପୃକ୍ତ ବିଧାୟକମାନଙ୍କ ଦ୍ୱାରା ପ୍ରକଳ୍ପ ସୁପାରିଶରେ ବିଳମ୍ବ, ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର ସୁପାରିସରେ ବିଳମ୍ବ, ଯୋଗ୍ୟ ସରକାରୀ ଜମି ନଥିବା ଓ ବିବାଦୀୟ ଜମି, ସ୍ଥାନୀୟ ବିବାଦ, କେତେକ ଘଟଣାରେ ପ୍ରକଳ୍ପ ମଞ୍ଜୁର ଓ ପାଣ୍ଠି ପ୍ରଦାନରେ ବିଳମ୍ବ ଯୋଗୁ ର୍ନିଦ୍ଧାରିତ ସମୟରେ ପ୍ରକଳ୍ପଗୁଡ଼ିକ ସରିପାରୁନି। ଯେଉଁଥିପାଇଁ କୋଟି କୋଟି ଟଙ୍କା ପାଣ୍ଠି ପଡ଼ି ରହୁଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଏମପି ପାଣ୍ଠି ବାବଦରେ ୨୦୨୦-୨୧ରେ ରାଜ୍ୟକୁ ମୋଟ ୫.୫୮କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ମାତ୍ର ୧.୧୦କୋଟି ଟଙ୍କା, ୨୦୨୧-୨୨ରେ ୭୬.୮୩କୋଟି ଟଙ୍କା ମଧ୍ୟରୁ ୨୩.୪୨କୋଟି ଟଙ୍କା ଓ ୨୦୨୨-୨୩ରେ ୧୦୧.୯୮କୋଟି ଟଙ୍କା ମଧ୍ୟରୁ ୫୦.୧୫କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ ସେୂଚନା ଦେଇଛନ୍ତି।

Share