Categories: ଖେଳ

ଆଇସିସି ନିଷ୍ପତ୍ତିକୁ ଅନ୍ୟାୟ କହିଲେ

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣରେ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳର ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ଦିଆଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକଟ କରିଛନ୍ତି ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର। ତାଙ୍କ ମତରେ ଟୁର୍ନାମେଣ୍ଟରେ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ ଏହି ପୁରସ୍କାର ପାଇଁ ପ୍ରକୃତ ହକଦର। ଅଖତର ଟୁଇଟ୍‌ କରି ଲେଖିଛନ୍ତି, ବାବରଙ୍କୁ ମ୍ୟାନ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ମିଳିବା କଥା। ନିଶ୍ଚିତ ଭାବେ ଏହା ଅନ୍ୟାୟ।

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ହାଇ ପ୍ରେସର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ ମ୍ୟାଚ୍‌ ଓ୍ବିନିଂ ପାଳି ଖେଳିଥିବା ଓ୍ବାର୍ନର ୭ ମ୍ୟାଚ୍‌ରେ ୪୮.୧୬ ହାରରେ ଓ ୧୪୦ ଷ୍ଟ୍ରାଇକ୍‌ ରେଟ୍‌ରେ ୨୮୯ ରନ୍‌ କରିଥିଲେ। କିନ୍ତୁ ବାବର ଓ୍ବାର୍ନରଙ୍କ ଠାରୁ ଗୋଟିଏ କମ୍‌ ମ୍ୟାଚ୍‌ ଖେଳି ୩୦୩ ରନ୍‌ କରିଥିଲେ। ତାହା ପୁଣି ୬୦.୬୦ ହାରରେ।