Categories: ଜାତୀୟ

ସ୍ବାମୀଙ୍କୁ ଘରୁ ବେଦଖଲ କରିବା-ପ୍ରବେଶ କରିବାକୁ ବାରଣ କରିବା ଅନ୍ୟାୟ, ସ୍ତ୍ରୀଙ୍କ ଆବେଦନ କୋର୍ଟରେ ଖାରଜ …

ନୂଆଦିଲ୍ଲୀ, ୧୭।୧ : ଜଣେ ମହିଳା ସ୍ବାମୀଙ୍କୁ ଘରୁ ବାହାର କରିଦେବା ଏବଂ ତାଙ୍କର ଘରେ ପ୍ରବେଶକୁ ରୋକିବା ପାଇଁ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। କିନ୍ତୁ କୋର୍ଟ ମହିଳାଙ୍କ ଏଭଳି ଆବେଦନକୁ ଅନ୍ୟାୟ ଦର୍ଶାଇ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ମହିଳାଙ୍କ ସ୍ବାମୀ ଘରର ଅଂଶୀଦାର। ଏହା ବ୍ୟତୀତ ତାଙ୍କର ରହିବାକୁ ଅନ୍ୟ କୌଣସି ସ୍ଥାନ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପାରିବାରିକ ହିଂସାରୁ ସୁରକ୍ଷିତ ପରିବେଶ ଯୋଗାଇବା ଆଇନର କର୍ତ୍ତବ୍ୟ।

ନୂଆଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ଅତିରିକ୍ତ ସେସନ୍ସ ଜଜ ହିମାନୀ ମାଲହୋତ୍ରାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ ମହିଳା ଜଣକ ଘରର ଦ୍ୱିତୀୟ ମହଲାରେ ଦୁଇ ପିଲାଙ୍କ ସହ ରହୁଥିବାବେଳେ ସ୍ବାମୀ ତଳ ମହଲାରେ ଏକୁଟିଆ ରହୁଛନ୍ତି। ପରସ୍ପର ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତେବେ ସ୍ବାମୀଙ୍କୁ ତଳ ମହଲାରୁ ବାହାର କରିଦେବାକୁ ଏବଂ ତାଙ୍କୁ ସେଠାକୁ ଆସିବାକୁ ବାରଣ କରିବାକୁ ଚାହୁଁଥିବା ମହିଳା ଆବେଦନରେ ଉପଯୁକ୍ତ କାରଣ ଦର୍ଶାଇ ନାହାନ୍ତି।

ଖଣ୍ଡପୀଠ ଏହା ମଧ୍ୟ କହିିଛନ୍ତି ଯେ, ମହିଳା ଜଣକ ପିଟିଶନରେ ଅଜବ କଥା କହିଛନ୍ତି। ସ୍ବାମୀ ତଳ ମହଲା ଅପରିଷ୍କାର ଏବଂ ମଇଳା କରୁଛନ୍ତି। ସେଥିପାଇଁ ଦୁର୍ଗନ୍ଧ ହେଉଛି। ଖଣ୍ଡପୀଠ କହିଛନ୍ତି ସ୍ବାମୀ ତାଙ୍କ ବାସସ୍ଥାନକୁ ମଇଳା କରି ରଖୁଛନ୍ତି। ଏପରିସ୍ଥଳେ ତାଙ୍କୁ ଘରୁ ବାହାର କରିବାର କୌଣସି ଯଥାର୍ଥତା ନାହିଁ।

ପାରିବାରିକ ହିଂସା ଅଭିଯୋଗରେ ମହିଳାଙ୍କ ଅଭିଯୋଗ ଆଧାରରେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ଏକ ବର୍ଷ ପୂର୍ବେ ସ୍ବାମୀଙ୍କୁ ଦ୍ୱିତୀୟ ମହଲାକୁ ଯିବାକୁ ବାରଣ କରି ସାରିଛନ୍ତି। ମହିଳା ଜଣକ ଅଭିଯୋଗ କରିଥିଲେ ଯେ ସ୍ବାମୀ ଦୀର୍ଘ ଦିନ ଧରି ତାଙ୍କୁ ଶାରୀରିକ ତଥା ମାନସିକସ୍ତରରେ ନିର୍ଯାତନା ଦେଉଥିଲେ।

ଡିସେମ୍ବର ୨୦୨୦ ରେ, ମହିଳା ଏବଂ ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ମହଲାରେ ରହୁଥିବା ସ୍ତ୍ରୀ ଏବଂ ପିଲାମାନଙ୍କ ସହ କୌଣସି ସମ୍ପର୍କ ନ ରଖିବାକୁ ଏବଂ ଦ୍ୱିତୀୟ ମହଲାରେ ପାଦ ନ ଦେବାକୁ କୋର୍ଟ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share