ପାଟଣା,୧୩ା୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାୟକଙ୍କ ବିରୋଧରେ ଅନାସ୍ଥା ଲାଗି ପ୍ରସ୍ତାବ ଦିଆଯାଇଛି। ଶୁକ୍ରବାର ପାଟଣା ବ୍ଲକର ୧୪ ଜଣ ସମିତି ସଭ୍ୟ ଏକାଠି ହୋଇ କେନ୍ଦୁଝର ଉପଜିଲାପାଳ ଉମାଶଙ୍କର ଦଳେଇଙ୍କ ନିକଟରେ ଏନେଇ ଦରଖାସ୍ତ ଦେଇଛନ୍ତି।
୍ଶୂଚନା ଅନୁଯାୟୀ, ବ୍ଲକ ଅଧ୍ୟକ୍ଷାଙ୍କ ମନମୁଖି ଶାସନ, ନିୟମିତ ସମିତି ବୈଠକ ନ ଡାକିବା, ଉନ୍ନୟନ କାର୍ଯ୍ୟ ସଭ୍ୟଙ୍କ ଅଜ୍ଞାତରେ କରିବା ସହ ଦୁର୍ବ୍ୟବହାର କରୁଥିବା ନେଇ ପତ୍ରରେ ଉଲ୍ଲେଖ ରହିଛି। ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକଙ୍କ ନେତୃତ୍ୱରେ ୧୪ ଜଣ ସମିତିସଭ୍ୟ ଏକାଠି ହୋଇ ଅନାସ୍ଥା ପ୍ରସ୍ତାବ ପାଇଁ ମେଳି କରିଛନ୍ତି। ୨୦ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ଉକ୍ତ ୧୪ ଜଣ ଅଜ୍ଞାତବାସରେ ଥିବା ଜଣାପଡ଼ିଛି। ଏ ନେଇ ଉପଜିଲାପାଳ ଦଳେଇ କହିଛନ୍ତି, ପାଟଣା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଲାଗି ୩ରୁ ୪ଜଣ ସଭ୍ୟ ସେମାନଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ଦେଇଛନ୍ତି। ଏହାର ତଦନ୍ତ ପାଇଁ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।