କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

କେସିଙ୍ଗା,୬ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ମିଥ୍ୟା ବିଲ୍‌, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ପାଇଁ ୪୨ଜଣ ସମିତିସଭ୍ୟ, ସରପଞ୍ଚ ଓ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ୩ଦିନ ହେଲା ଗୁପ୍ତ ବାସ ରହିଛନ୍ତି। ସମଗ୍ର ୨୬ଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହେଉଛି। ତେଣୁ ଜିଲା ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ଅନୁପସ୍ଥିତ ଯୋଗୁ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମରେ ଆଗେଇ ପାରି ନାହିଁ। ଇତିମଧ୍ୟରେ ସରପଞ୍ଚ ସଂଘ ପକ୍ଷରୁ ବ୍ଲକ ସମ୍ମୁଖରେ ଦୀର୍ଘ ସମୟ ଧରି ଗଣଆନ୍ଦୋଳନ କରି ୫ଦଫା ଦାବି କରିଥିଲେ। ସମଗ୍ର ୨୬ଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍‌ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିବା, ଆଦି କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ୪୨ଜଣ ସମିତି ସଭ୍ୟ ଓ ସରପଞ୍ଚଙ୍କ ମିଳିତ ଉଦ୍ୟମରେ ଅନାସ୍ଥା ପ୍ରସ୍ତାବ ପାଇଁ ଅଭିଯୋଗ କରିଛନ୍ତି। ଆଜକୁ ତିନି ଦିନ ହେଲା ଏହି ସମସ୍ତ ସଭ୍ୟ ସଭ୍ୟା ଅନାସ୍ଥା ପ୍ରସ୍ତାବ ନ ହେବା ଯାଏ ଗୁପ୍ତ ବାସ ରହିଛନ୍ତି।

ବ୍ଲକରେ ଖୁଲମଖୁଲା କନିଷ୍ଠଯନ୍ତ୍ରୀଙ୍କ ଲାଞ୍ଚଖିଆ କାରବାର ଏବଂ କୌଣସି କନିଷ୍ଠ ଯନ୍ତ୍ରୀ ବ୍ଲକ ପରିସରରେ ନ ରହି ଭବାନୀପାଟଣାରେ ରହୁଥିବାରୁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲେ ମଧ୍ୟ ବିଡିଓ ଏବଂ ଅଧ୍ୟକ୍ଷଙ୍କ ନିଷ୍କ୍ରିୟତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ନିଜର ମନମୁଖୀ କାର୍ଯ୍ୟ କରୁଥିବା, ବ୍ଲକରେ ଦୁଇ ମାସରେ ଥରେ ସମିତି ମିଟିଂ ହେବାର ନିୟମ ରହିଥିଲେ ମଧ୍ୟ ଏହି ବ୍ଲକରେ ୮ ମାସରେ ଥରେ ସମିତି ମିଟିଂ ହେଉଥିବା କରାଯାଉଛି। କୌଣସି ସମିତିସଭ୍ୟଙ୍କ ପରାମର୍ଶ ଗ୍ରହଣ କରୁ ନ ଥିବାରୁ ସରପଞ୍ଚମାନଙ୍କୁ ହଇରାଣ କରୁଥିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଚନ୍ଦନ ସେନାପତିଙ୍କ ବିରୋଧରେ ବ୍ଲକର ୪୨ଜଣ ସମିତି ଓ ସରପଞ୍ଚ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି ତୁରନ୍ତ ଅନାସ୍ଥା ଭୋଟ୍‌ କରିବା ପାଇଁ ଅନୁରୋଧ କରିଥିଲେ।

ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ମୋଟ୍‌ ୫୨ ଜଣ ସମିତି ଏବଂ ସରପଞ୍ଚ ମଧ୍ୟରୁ ଆମେ ୩୮ରୁ ଊର୍ଦ୍ଧ୍ୱ ଜଣ ଏହି ଅନାସ୍ଥା ପ୍ରସ୍ତାବ ଆଣି ଥିବାର ଜଣାପଡ଼ିଛି। ବର୍ତ୍ତମାନ ସପକ୍ଷରେ ୪୨ ଜଣଙ୍କ ସମେତ ଆହୁରି ୬ଜଣ ସମିତି ଏବଂ ସରପଞ୍ଚ ମଧ୍ୟ ଭୋଟ୍‌ ସମୟରେ ଉପାଧ୍ୟକ୍ଷା ସପକ୍ଷରେ ଭୋଟ୍‌ ଦେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ୨ ବର୍ଷ ମଧ୍ୟରେ ନାନାଦି ବିବାଦରେ ଛନ୍ଦିହୋଇ ଏହି ବ୍ଲକ ଦୁର୍ନାମ ଅର୍ଜନ କରିଥିବାବେଳେ ବ୍ଲକ ପ୍ରଶାସନର ବେଖାତିର ମନୋଭାବ ପାଇଁ ଜନସାଧାରଣ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

Share