Categories: ଜାତୀୟ

ରାଜରାସ୍ତାରୁ ବସ୍‌ ଅପହରଣ କଲେ ଅଜଣା ଲୋକେ: ୩୪ ଯାତ୍ରୀଙ୍କ ମିଳୁନି ଖୋଜ୍‌ ଖବର

ଆଗ୍ରା, ୧୯।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିଗିଡ଼ିବାରେ ଲାଗିଛି। ଅପରାଧୀମାନେ ଆଉ ପୋଲିସକୁ ଭୟ କରୁ ନାହାଁନ୍ତି। ଏହା ସଦ୍ୟତମ ଘଟଣା ଆଗ୍ରାର ମଲପୁରା ଅଞ୍ଚଳର ନ୍ୟୁ ଦକ୍ଷିଣୀ ବାଇପାସ୍‌ ନିକଟରେ ଘଟିଛି। ସ୍ଥାନୀୟ ରାୟଭା ଟୋଲ୍‌ ପ୍ଲାଜାଠାରେ ୮-୯ ଜଣ ଅଚିହ୍ନା ବ୍ୟକ୍ତି ଜାଇଲୋ ଗାଡ଼ିରେ ଆସି ଏକ ଯାତ୍ରୀବାହୀ ବସ୍‌କୁ ରାଜରାସ୍ତାରୁ ଅପହରଣ କରି ନେଇଛନ୍ତି। ବସ୍‌ରେ ୩୪ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ପରେ ଅପହରଣକାରୀ ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଓହ୍ଲାଇ ଦେଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ଯାତ୍ରୀମାନଙ୍କର କୌଣସି ଖୋଜ୍‌ ଖବର ମିଳି ପାରି ନାହିଁ। ନିଜକୁ ଫାଇନାନ୍ସ୍‌ କମ୍ପାନୀ କର୍ମଚାରୀ ବୋଲି ପରିଚୟ ଦେଇ ଅପହରଣକାରୀ ବସ୍‌କୁ ମଝି ରାସ୍ତାରେ ମଙ୍ଗଳବାର ରାତି ୧୦ଟା ୩୦ରେ ଅଟକାଇଥିଲେ ବୋଲି ଡ୍ରାଇଭର ପୋଲିସକୁ ସୂଚନା ଦେଇଛନ୍ତି। ଅପହରଣକାରୀ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଦିଲ୍ଲୀ-କାନପୁର ହାଇଓ୍ବେର କୁବେରପୁରଠାରେ ଓହ୍ଲାଇଦେଇଥିଲେ। ତେବେ ଫାଇନାନ୍ସ୍‌ କମ୍ପାନୀ କର୍ମଚାରୀ କାହିଁକ ଏଭଳି କରିବେ ସେ ନେଇ ପ୍ରଶ୍ନ ଉଠଛି। ଅପରପକ୍ଷରେ ଓହ୍ଲାଇବା ପୂର୍ବରୁ କଣ୍ଡକ୍ଟର ସମସ୍ତ ଯାତ୍ରୀଙ୍କୁ ଗାଡ଼ି ଭଡ଼ା ଫେରସ୍ତ ମଧ୍ୟ କରିଥିଲେ ବୋଲି ପୋଲିସ କହିଛି। ଘଟଣାସ୍ଥଳରେ ଏସ୍‌ଏସ୍‌ପି ବବୁଲ୍‌ କୁମାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପୋଲିସ ସହିତ ଯୋଗାଯୋଗ କରାଯାଇଥିବା ଆଇଜି ଏ.ସତିଶ ଗଣେଶ ସୂଚନା ଦେଇଛନ୍ତି। ବସ୍‌ରେ କଳ୍ପନା ଟ୍ରାଭେଲ୍‌ ଲେଖାଯାଇଛି। ଏହାର ମାଲିକ ଗୋଓ୍ବାଲିୟରରେ ରୁହନ୍ତି। ମଙ୍ଗଳବାର ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଅପହରଣକାରୀ କିସ୍ତି ସୁଝା ଯାଇ ନ ଥିବା କହି ଡ୍ରାଇଭରକୁ ଓହ୍ଲାଇ ବସ୍‌ ନେଇ ଯାଉଥିବା ପ୍ରକାଶ କରିଥିଲେ। ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ପଚରାଉଚରା ଜାରି ରହିଛି।

Share