Categories: ଜାତୀୟ

କେନ୍ଦ୍ର କ୍ୟାବିନେଟ୍‌: ଇ-ବସ୍‌ ସେବା, ବିଶ୍ୱକର୍ମା ଯୋଜନାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୬ା୮: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବାକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୫୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ସାରା ଦେଶରେ ପ୍ରାୟ ୧୦୦୦୦ ନୂଆ ଇଲେକ୍ଟ୍ରିକ୍‌ ବସ୍‌ ଉପଲବ୍ଧ ହେବ। ୫୭,୬୧୩ କୋଟି ଟଙ୍କା ମଧ୍ୟରୁ ୨୦,୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ। ଏହି ବସ୍‌ଗୁଡ଼ିକ ୧୦୦ଟି ସହରରେ ଗଡ଼ିବ। ଏଥିପାଇଁ ସହରର ଭିତ୍ତିଭୂମିକୁ ଗ୍ରୀନ ଅର୍ବାନ ମୋବିଲିଟି କାର୍ଯ୍ୟକ୍ରମରେ ବିକଶିତ କରାଯିବ। ୧୦ ବର୍ଷ ପାଇଁ ଏହି ଇ-ବସ୍‌ର ସହାୟତା ମିଳିବ।

ସେହିପରି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍‌ ୧୩୦୦୦ କୋଟି ଟଙ୍କାର ବିଶ୍ୱକର୍ମା ଯୋଜନାକୁ ଅନୁମୋଦନ କରିଛି। ସେ କହିଛନ୍ତି, ଏହି ଯୋଜନା ମାଧ୍ୟମରେ କାରିଗରମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ୫ ପ୍ରତିଶତ ସୁଧରେ ଦିଆଯିବ। ବିଶ୍ୱକର୍ମା ଯୋଜନା ଦ୍ୱାରା ୩୦ ଲକ୍ଷ କାରିଗର ପରିବାର ଉପକୃତ ହେବେ।

ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ। ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ ମିଳିଛି। ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ ଆରମ୍ଭ ହେବ।

 

Share