Categories: ଜାତୀୟ

କେନ୍ଦ୍ର କ୍ୟାବିନେଟ୍‌ରେ ଅଦଳବଦଳ ଚର୍ଚ୍ଚା

ନୁଆଦିଲ୍ଲୀ, ୩୦ା୬: ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନ ଓ ଚଳିତ ବର୍ଷ ଶେଷ ଭାଗରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ଭାଜପା ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ଦଳ ଗୁରୁତ୍ୱ ଦେଉଛି। ସେଥିପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମେତ ଭାଜପା ସାଂଗଠନିକ ସ୍ତରରେ ବଡ଼ ଅଦଳବଦଳ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଶୀର୍ଷ ନେତାମାନଙ୍କ ସହ ବ୍ୟସ୍ତବହୁଳ ବିଚାରବିମର୍ଶ କରିବା ପରେ ତାଙ୍କ ମନ୍ତ୍ରିମଣ୍ଡଳରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଉକ୍ତ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗତ କିଛିଦିନ ହେଲା ଶାହା, ନଡ୍ଡା ଏବଂ ଭାଜପା ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍‌. ସନ୍ତୋଷଙ୍କ ମଧ୍ୟରେ ସାଂଗଠନିକ ଓ ରାଜନୈତିକ ପ୍ରସଙ୍ଗକୁ ନେଇ ଅନେକ ଥର ବିଚାରବିମର୍ଶ ହେଲାଣି। ଆସନ୍ତା ଜୁଲାଇ ୩ରେ ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଗତି ମଇଦାନସ୍ଥିତ ନବନିର୍ମିତ କନ୍‌ଭେନଶନ ସେଣ୍ଟରରେ ଏହି ବୈଠକ ବସିପାରେ ବୋଲି କୁହାଯାଉଛି। ଜୁଲାଇ ତୃତୀୟ ସପ୍ତାହରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ।

Share