ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୫।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ। ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ। ଭାରତୀୟ ହକି ଦଳର ଏହି ଐତିହାସିକ ବିଜୟ ପରେ ସାରା ଦେଶ ଉତ୍ସବ ମୁଖର ହୋଇପଡ଼ିଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଟୁଇଟ କରିଛନ୍ତି। ସେ କ୍ୟାପସନ୍‌ରେ ଲେଖିଛନ୍ତି, ହକିରେ ପଦକର ଅପେକ୍ଷା ଶେଷ ହୋଇଛି। ମେନ ଇନ୍‌ ବ୍ଲୁର ପ୍ରତ୍ୟେକ ଖେଳାଳିଙ୍କୁ ଏହି ବିଜୟ ପାଇଁ ହାର୍ଦ୍ଧିକ ଅଭିନନ୍ଦନ। ଭାରତୀୟ ଦଳର ଏହି ବିଜୟ ସବୁଦିନ ପାଇଁ ଭାରତୀୟଙ୍କ ହୃଦୟରେ ଗର୍ବ ସୃଷ୍ଟି କରିବ ଏବଂ ଏହା ଚିରଦିନ ପାଇଁ ଏକ ସମ୍ମାନର ମୁହୂର୍ତ୍ତ। ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ହାତେଇଛି ଭାରତ। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ବିଷୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Share