ଆକ୍ସନ ମୁଡରେ କେନ୍ଦ୍ର ସରକାର: ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ଦେଶରେ ବେଲଗାମ ହେବାରେ ଲାଗିଛି। ଗତ ବର୍ଷ ତୁଳନାରେ ଏହି ବର୍ଷ ସମସ୍ତ ରେକର୍ଡ ଭାଙ୍ଗିଛି। ପ୍ରତିଦିନ କରୋନା ସଂକ୍ରମଣ ୨ଲକ୍ଷରୁ ଊର୍ଦ୍ଧ୍ୱ ରହିଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ୩ଟି ରାଜ୍ୟରେ ଯଥା ମହାରାଷ୍ଟ୍ର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ କରୋନା ପ୍ରକୋପ ଅଧିକ ରହିଛି। ଏପରିକି ହସ୍ପିଟାଲରେ ବେଡ୍‌ ମିଳୁ ନ ଥିବା ବେଳେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲଗାଇବାକୁ ପଡ଼ୁଛି। କରୋନା ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଇତିମଧରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରକୁ ଗସ୍ତ କରିଥିଲେ। ସେଠାରେ ସେ ସ୍ବାସ୍ଥ୍ୟ ସୁବିଧା, ଡାକ୍ତର ଅଭାବ ଓ କରୋନା ସଂକ୍ରମଣକୁ ନେଇ ସମୀକ୍ଷା କରିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଚଳିତ ଥର ଦେଶରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ହର୍ଷବର୍ଦ୍ଧନ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ଲୋକଙ୍କୁ ଧର୍ଯ୍ୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ଖାଲି ନାହିଁ। ହେଲେ କାହାକୁ ଭୟ କରିବାର ଆବଶ୍ୟକତା ନାହିଁ ଦେଶରେ ଏବେ ବି ୨୦ଲକ୍ଷ ବେଡ୍‌ ଉପଲବ୍ଧ ଅଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେବେ ଏମ୍ସ ଗସ୍ତ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏମ୍ସର ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରୀଆ ମଧ୍ୟ ଉପସ୍ଥିତ ଥିଲେ।

Share