ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଥମିବାର ନାଁ ଧରୁନି। ଶିବସେନାର ବିଧାୟକମାନଙ୍କ ବିଦ୍ରୋହ ମଧ୍ୟରେ ନେତାଙ୍କ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆମେ(ଭାଜପା) ବିରୋଧୀ ଦଳରେ ଆଉ ୨ରୁ ୩ ଦିନ ରହିବୁ। ସମୟ ସରିସରି ଯାଉଛି। ଏବେକାର ସରକାର ଆଉ ମାତ୍ର ୨ରୁ ୩ ଦିନ କ୍ଷମତାରେ ରହିବ। ଜଲନାରେ କୃଷି ବିଭାଗର ନୂଆ ବିଲଡିଂ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ରାଓସାହେବ ଏହା କହିଛନ୍ତି। ମାହା ବିକାଶ ଅଘାଡି(ଏମଭିଏ) ସରକାର ଯଥାଶୀଘ୍ର ଅନ୍ୟ ବିକାଶମୂଳକ କାର୍ଯ୍ୟ ଗୁଡିକ ସାରି ଦେବା ଉଚିତ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମହାରାଷ୍ଟ୍ରରେ କ୍ଷମତାସୀନ ଏମଭିଏର ସବୁ ଖେଳ ଶେଷ ହୋଇଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଶିବସେନା ନେତୃତ୍ୱରେ ଗଠନ ହୋଇଥିବା ଏମଭିଏ ସରକାରରେ କଂଗ୍ରେସ ଓ ଏନସିପି ରହିଛନ୍ତି। ଶିବସେନାର ୪୦ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରି ଗୁଆହାଟୀରେ ଅଛନ୍ତି।