Categories: ଜାତୀୟ

ଜେଏମ୍‌ଏମ୍‌ର ସମର୍ଥନକୁ ସ୍ବାଗତ କଲେ ଅର୍ଜୁନ ମୁଣ୍ଡା

ରାଞ୍ଚି,୧୫।୭: ଆସନ୍ତା ଜୁଲାଇ ୧୮ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରାଜନୈତିକ ସରଗରମ ରହିଛି। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ନିଜ ପାଇଁ ସମର୍ଥନ ଜୁଟାଇବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଗୁରୁବାର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଏମ୍‌ପି ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ଶୁକ୍ରବାର ଦଳ ପକ୍ଷରୁ ଏନେଇ ଏକ ଆନୁଷ୍ଠାନିକ ଭାବେ ଏକ ଆଧ୍ୟାଦେଶ ଜାରି କରାଯାଇଛି। ଜେଏମ୍‌ଏମ୍‌ର ଏହି ନିଷ୍ପତ୍ତି ପରେ ବରିଷ୍ଠ ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଟୁଇଟ କରି ସ୍ବାଗତ ଜଣାଇଛନ୍ତି। ସେ କହିଛନ୍ତି, ଦିଶୋମ ଗୁରୁ ଶିବୁ ସୋରେନ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନଙ୍କୁ ବହୁତ  ଧନ୍ୟବାଦ। ଅନ୍ୟପଟେ ଏହି ଆଧ୍ୟାଦେଶ ଜାରି ପରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ କଂଗ୍ରେସ ଓ ଜେଏମ୍‌ଏମ୍‌ର ମେଣ୍ଟ ସରକାର କ୍ଷମତାରେ ରହିଛି। ତେବେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ଜେଏମ୍‌ଏମ୍‌ର ସମର୍ଥନ କଂଗ୍ରେସ ମେଣ୍ଟ ଭିତରେ ଫାଟ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।

Share