ପଶ୍ଚିମବଙ୍ଗରେ ପୂଜା ପେଣ୍ଡାଲ ବୁଲିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧ା୧୦(ସୁନିତ୍‌ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପଶ୍ଚିମବଙ୍ଗର ଦୁର୍ଗାପୂଜା ପର୍ବରେ ସାମିଲହୋଇ ବିଭିନ୍ନ ପୂଜା ପେଣ୍ଡାଲ ବୁଲିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ପଶ୍ଚିମବଙ୍ଗର ଲୋକଙ୍କ ଜୀବନଶୈଳୀ, ସଂସ୍କାର ଓ ସଂସ୍କୃତିର ଅଭିନ୍ନ ଅଙ୍ଗ। ଦୁର୍ଗାପୂଜା ଧାର୍ମିକ ଉତ୍ସବ ନୁହେଁ ବରଂ ସାମାଜିକ ସରସତାର ପ୍ରତୀକ। କଳା ଓ ସଂସ୍କୃତିକୁ ପ୍ରସ୍ଫୁଟିତ କରିବାର ମହାନ୍‌ ଅବସର। କୋଲକାତା ଦୁର୍ଗାପୂଜା ମେଢ଼ଗୁଡ଼ିକ ଆକର୍ଷଣୀୟ। ଦୁର୍ଗାପୂଜା କୋଲକାତାକୁ ରଙ୍ଗ, ସଂସ୍କୃତି, ଖାଦ୍ୟ ଏବଂ ସାମୂହିକ ସଦ୍‌ଭାବନାର ଏକ ବଡ଼ କ୍ୟାନ୍‌ଭାସରେ ପରିଣତ କରିଥାଏ। ସନ୍ତୋଷ ମିତ୍ର ସ୍କୋୟାର ପୂଜା ପେଣ୍ଡାଲରେ ଦେବୀ ଦୁର୍ଗାଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିକୁ ଦର୍ଶନକରି ସେ କହିଛନ୍ତି, ଅଯୋଧ୍ୟା ରାମମନ୍ଦିରରୁ ପ୍ରେରିତ ଏହି ପେଣ୍ଡାଲ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏଠାରେ ଶୋଭାପାଉଥିବା ଧ୍ୱଜା ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ପୁରୀରୁ ଆସିଥିବା ଜାଣି କେନ୍ଦ୍ରମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ଏହି ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣୁ ବୋଲି ସେ ପ୍ରାର୍ଥନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନର୍ଥ କୋଲକାତାର ତାଲା ବାୱାରୀ, ଶୋଭାବଜାର ରାଜବାଡି ଦୁର୍ଗାପୂଜା, କାଲି ଖତିକ୍‌ ଏବଂ ଦକ୍ଷିଣ କୋଲକାତାର ସେଭେନ୍‌ ତାରା ଚାନ୍ଦ ଦତ୍ତ ଷ୍ଟ୍ରିଟ୍‌ ଠାରେ ଥିବା ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କରିଛନ୍ତି।

Share