କେସିଙ୍ଗାରେ କେନ୍ଦ୍ରମନ୍ତ୍ରୀ

କେସିଙ୍ଗା,୧୨ା୬(ଡି.ଏନ୍‌.ଏ.): କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ରବିବାର କେସିଙ୍ଗା ପରିଦର୍ଶନରେ ଆସିଛନ୍ତି। ମନ୍ତ୍ରୀ ଉତ୍‌କେଲା ଏରୋଡ୍ରମ ଫିଲ୍ଡ ପଡ଼ିଆରେ ଓହ୍ଲାଇ ଏକ କାର୍‌ରେ ପ୍ରଥମେ କେସିଙ୍ଗାସ୍ଥିତ ଆଦର୍ଶ କଲୋନୀ ପରିଦର୍ଶନରେ ଯାଇଥିଲେ। କଲୋନୀବାସୀ କଳସ ସ୍ଥାପନ କରି ସ୍ବାଗତ ଜଣାଇ ସଭାଗୃହକୁ ପାଛୋଟି ନେଇଥିଲେ। ଏହି କଲୋନୀରେ ପାନୀୟଜଳ, ରାସ୍ତା, ଡ୍ରେନ,ଆଲୋକ କରଣ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସୁବିଧା ପାଇଥିବା କଲୋନୀ ବାସୀ ମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ। ଏନ୍‌ଏସିର, ଅଧ୍ୟକ୍ଷ ନୃପରାଜ ଯାଦବ, ନିର୍ବାହୀ ଅଧିକାରିଣୀ କିରଣ ବେହେରା କଲୋନୀ ସମ୍ପର୍କରେ ମନ୍ତ୍ରୀଙ୍କୁ ବୁଝାଇଥିଲେ। ଏନ୍‌ଏସିର କାଉନସିଲର ବିଜେଡି ଟାଉନ୍‌ ସଭାପତି ରମେଶ ପଟ୍ଟନାୟକ, ଭାଜପାର କର୍ମକର୍ତ୍ତା ଯୋଗଦେଇଥିଲେ। ପରେ କେସିଙ୍ଗାସ୍ଥିତ ବିଦ୍ୟାପୀଠର ସ୍ମାର୍ଟ କ୍ଲାସ ପରିଦର୍ଶନ କରିଥିଲେ। ପରିଶେଷରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ବାଗତ କରିଥିଲେ। ଏହି ଗୋଷ୍ଠୀ କେନ୍ଦ୍ରରେ ଥିବା ପ୍ରସୂତି କାଳୀନ ଓ ଶିଶୁ ସାସ୍ଥ୍ୟକେନ୍ଦ୍ର, ନବଜାତ ଶିଶୁ ସୁରକ୍ଷା ବିଭାଗ ପରିଦର୍ଶନ କରିଥିଲେ। ମେଡିକାଲ ଅଫିସର ଡ.ସୁବାସ ଚନ୍ଦ୍ର ବେହେରା ଗର୍ଭବତୀ, ପ୍ରସୂତି, ଶିଶୁ ଜନ୍ମ ଅଲ୍ଟ୍ରାସାଉଣ୍ଡ, ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପରିଦର୍ଶନରେ କଳାହାଣ୍ଡ ଏମ୍‌ପି ବସନ୍ତ ପଣ୍ଡା,ପିଡିଙ୍କ ସମେତ ଦଳୀୟ କର୍ମକର୍ତ୍ତା ସାମିଲ ଥିଲେ।

Share