ନୂଆଦିଲ୍ଲୀ,୨୫ ।୧୨: କେନ୍ଦ୍ର ଆବାସ ଓ ସହରୀ ମାମଲାର ରାଜ୍ୟମନ୍ତ୍ରୀ କୌଶଲ କିଶୋର ଜନତାଙ୍କୁ ଅପିଲ କରିଛନ୍ତି ଯେ ସେ ସେମାନଙ୍କ ଝିଅ ଓ ଭଉଣୀର ବିବାହ କୌଣସି ନିଶାଗ୍ରସ୍ତଙ୍କ ସହ କରନ୍ତୁ ନାହିଁ । ସେ କହିଛନ୍ତି, ଜଣେ ରିକ୍ସା ଚାଳକ ଜଣେ ଦିନ ମଜୁରିଆ ଜଣେ ନିଶାଗ୍ରସ୍ତ ଅଧିକାରୀଙ୍କଠାରୁ ଭଲ ବର ହୋଇପାରିବେ । କୌଶଲ କିଶୋର ଶନିବାର ଉତ୍ତର ପ୍ରଦେଶର ଲଂଭୁୟା ବିଧାନସଭା ଅଞ୍ଚଳରେ ନିଶାମୁକ୍ତି ଉପରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି, ଜଣେ ନିଶାଗ୍ରସ୍ତଙ୍କ ଆୟୁଷ ବହୁତ କମ ହୋଇଥାଏ ।
କେନ୍ଦ୍ରମନ୍ତ୍ରୀ ତାଙ୍କ ପୁଅ କଥା କହିବା ଛଳରେ କହିଥିଲେ, ମୁଁ ଜଣେ ଏମପି ଓ ମୋ ପତ୍ନୀ ଜଣେ ବିଧାୟକ ଭାବେ ଯେତେବେଳେ ମୋ ପୁଅକୁ ବଞ୍ଚାଇ ପାରିଲୁ ନାହିଁ ତ ସାଧାରଣ ଜନତା ଏମିତି କେମିତି କରିପାରିବେ । କୌଶଲ କିଶୋର ତାଙ୍କ ପରିବାର ସହ ହୋଇଥିବା ଦୁର୍ଘଟଣାକୁ ମନେ ପକାଇ କହିଥିଲେ, ମୋ ପୁଅ (ଆକାଶ କିଶୋର) ସାଙ୍ଗମାନଙ୍କ ସହ ମିଶି ଖୁବ ମଦ ପିଇବା ଅଭ୍ୟାସ କରି ନେଇଥିଲେ । ଶେଷରେ ସେହି ମଦ ହିଁ ତାଙ୍କ ଜୀବନ ନେଇ ଯାଇଥିଲା ।