ପୁଅ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ, ମାତାପିତା କାମ କରନ୍ତି କ୍ଷେତରେ

ନୂଆଦିଲ୍ଲୀ,୧୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସପ୍ତାହ ପୂର୍ବରୁ ତାଙ୍କ କ୍ୟାବିନେଟର ବିସ୍ତାର କରିଛନ୍ତି । ଏଥିରେ ୪୩ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା) ତାମିଲନାଡୁର ଅଧ୍ୟକ୍ଷ ଏଲ୍ ମୁରଗାନଙ୍କୁ ରାଜ୍ୟମନ୍ତ୍ରୀ ପଦ ମିଳିଛି । ୪୪ ବର୍ଷୀୟ ମୁରଗାନ ବହୁ ଦିନର ପରିଶ୍ରମ ପରେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ହେଲେ ଏବେ ତାଙ୍କ ମାତାପିତାଙ୍କର ଚର୍ଚ୍ଚା ସବୁଠି ହେଉଛି । ଏମାନେ ରାଜନୀତିଠାରୁ ବହୁ ଦୂରରେ ତାମିଲନାଡୁର ଏକ ଗାଁରେ ରହୁଥିବା ବେଳେ କ୍ଷେତରେ କାମ କରି ପେଟ ପୋଷୁଛନ୍ତି । ପୁଅର ସଫଳତାକୁ ନେଇ ମାତାପିତା ଗର୍ବ କରୁଥିବା ବେଳେ ସେମାନେ କିନ୍ତୁ ନିଜ ଜୀବନ ଏମିତି ବଞ୍ଚିବାକୁ ପସନ୍ଦ କରନ୍ତି ଯେଉଁଥିରେ ଦୁଇ ବେଳା ଖାଇବାକୁ ମିଳିବ । ତେବେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ବେଳକୁ ମୁରଗାନଙ୍କ ମାତା ପିତା ଦିଲ୍ଲୀଠାରୁ ପ୍ରାୟ ଅଢେଇ ହଜାର କିଲୋମିଟର ଦୂର ନମାକ୍କଲ ଜିଲାର କୋନ୍ନୁର ଗାଁରେ କ୍ଷେତରେ କାମ କରୁଥିଲେ । ମୁରଗାନଙ୍କ ୫୬ ବର୍ଷୀୟା ମା ଏ ବରୁଦାମ୍ମଲ ଓ ୬୮ ବର୍ଷୀୟ ପିତା ଏଲ ଲାଙ୍ଗନାଥମ ଅନ୍ୟ ଜଣଙ୍କ କ୍ଷେତରେ ମଜୁରିଆ ଭାବେ କାମ କରୁଥିଲେ । ସେମାନଙ୍କ ସହ କଥା ହେବାକୁ ଖବରଦାତା ଚାହିଲେ ମଧ୍ୟ ସେ ସିଧାସଳଖ ନ ଆସି କ୍ଷେତ ମାଲିକଙ୍କ ଅନୁମତି ନେବାକୁ ପଡିଥଲା । ପୁଅ ମୁରଗାନ କ୍ୟାବିନେଟ ମନ୍ତ୍ରୀ ହେବାର ଶ୍ରେୟ ଏମାନେ ନେବାକୁ ରାଜି ନୁହେଁ । କାରଣ ଏମାନେ କୁହନ୍ତି ପୁଅ ପାଇଁ ଆମେ କିଛି କରିନୁ । ପୁଅ ପିଲାଦିନେ ଭଲ ପାଠ ପଢୁଥିବା ବେଳେ ମୁଁ କରଜ କରି ତାକୁ ସରକାରୀ ସ୍କୁଲରେ ପାଠ ପଢାଇଛି ବୋଲି କୁହନ୍ତି ମୁରଗାନଙ୍କ ପିତା । ଏହାପରେ ଲ’ ପଢିବାକୁ ସେ ମୁମ୍ବାଇ ଯିବା ପରେ ସେଠାରେ ଥିବା ବେଳେ ସେ ଭାଜପାର ଅଧ୍ୟକ୍ଷ ହୋଇ ଯାଇଥିଲେ । ଏହାପରେ ମୁରଗାନ ପିତାମାତାଙ୍କୁ ପାଖକୁ ଡାକି ଏକାଠି ମୁମ୍ବାଇରେ ରହିବାକୁ କହିଥିଲେ ବି ଏହା ସେମାନଙ୍କୁ ପସନ୍ଦ ନ ଥିଲା । ମୁରଗାନଙ୍କ ବିଜି ସିଡୁୃଲ ଭିତରେ ଏମାନେ ପୁଣିଥରେ ନିଜ ଗାଁକୁ ଫେରିଆସି ମଜୁରିଆ ଭାବେ କାମ କରିବାକୁ ପସନ୍ଦ କରିଥିଲେ । କେବେକେବେ ମଜୁରିଆ ପୁଣି କେବେ କାମ ନ ମିଳିଲେ ଏମାନେ କୁଲି କାମ କରନ୍ତି ବୋଲି କୁହନ୍ତି । ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ ହେବା ପରେ ମୁରଗାନ ତାଙ୍କ ମାତାପିତାଙ୍କୁ ଏକଥା ଫୋନ ମାଧ୍ୟମରେ ଜଣାଇଥିଲେ । ହେଲେ ସେମାନେ ଏହା କିଛି ବୁଝି ପାରି ନ ଥିଲେ । କେବଳ ପ୍ରଶ୍ନ କରିଥିଲେ ମୁମ୍ବାଇରେ ସେ ଯେଉଁ ପଦରେ ଥିଲେ ଏହା କ’ଣ ତା’ଠାରୁ ବଡ । ବାସ୍ ଏତିକିରେ ସେମାନେ ଖୁସି ହୋଇଯାଇଥିଲେ ।

Share