Categories: ଜାତୀୟ

‘ବେଳେବେଳେ ମନକୁ ଆସୁଛି ରାଜନୀତି ଛାଡିଦେବି’

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ନିଜ ସଚ୍ଚୋଟତା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ବିଷୟ ଯାହା ବି ହେଉ, ସେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ସେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ବାତାବରଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସାମାଜିକ କର୍ମୀ ଗିରିଶ ଗାନ୍ଧୀଙ୍କ ସମ୍ମାନ ସମାରୋହରେ ପହଞ୍ଚି ଗଡକରୀ କହିଛନ୍ତି, ରାଜନୀତିର ଅର୍ଥ ସମାଜ, ଦେଶର କଲ୍ୟାଣ ପାଇଁ ନା ସରକାରରେ ରହିବା ତାହା ପ୍ରଥମେ ଆମକୁ ବୁଝିବାକୁ ପଡ଼ିବ। ମହାତ୍ମା ଗାନ୍ଧୀଙ୍କ ସମୟରୁ ରାଜନୀତି ସାମାଜିକ ଆନ୍ଦୋଳନର ଏକ ଅଂଶ ହୋଇଆସୁଛି, କିନ୍ତୁ ପରେ ଏହାର ଧ୍ୟାନ ଦେଶ ତଥା ବିକାଶର ଲକ୍ଷ୍ୟ ଆଡକୁ ଚାଲିଯାଇଛି। ଆଜିର ରାଜନୀତି, ଆମେ ଯାହା ଦେଖୁଛୁ ତାହା କେବଳ ଶତପ୍ରତିଶତ କ୍ଷମତାରେ ରହିବା ଚିନ୍ତାଧାରା ଉପରେ ପର୍ଯ୍ୟବେସିତ ହୋଇଛି। ରାଜନୀତି ହେଉଛି ସାମାଜିକ ଏବଂ ଅର୍ଥନୈତିକ ସଂସ୍କାରର ପ୍ରକୃତ ମାଧ୍ୟମ। ତେଣୁ ଆଜିର ରାଜନେତାମାନେ ସମାଜରେ ଶିକ୍ଷା, କଳା ଇତ୍ୟାଦି ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ୍‌।
ଗଡକରୀ ଆହୁରି ମଧ୍ୟ କହିଛନ୍ତି, ବେଳେବେଳେ ରାଜନୀତି ଛାଡିବାକୁ ଚିନ୍ତା କରେ। କାରଣ ରାଜନୀତି ବ୍ୟତୀତ ଜୀବନରେ ଅନେକ ଜିନିଷ କରିବାକୁ ପଡିବ। ଯେତେବେଳେ ଲୋକେ ମୋତେ ବଡ଼ ବଡ଼ ଫୁଲତୋଡା ଦିଅନ୍ତି କିମ୍ବା ମୋ ପୋଷ୍ଟର ଲଗାନ୍ତି ମୋତେ ଖରାପ ଲାଗେ। ମୁଁ ଏହାକୁ ପସନ୍ଦ କରେ ନାହିଁ।
ନିକଟରେ ଗଡକରୀ ରାଜନୀତିକୁ ନେଇ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ କହିଥିଲେ, ଆଜିକାଲି ରାଜନୀତିରେ ବିଭିନ୍ନ ଲୋକଙ୍କ ବିଭିନ୍ନ ସମସ୍ୟା ଅଛି। ଯିଏ ମୁଖ୍ୟମନ୍ତ୍ରୀ ହେଉଛନ୍ତି,ସେମାନେ ଚିନ୍ତାରେ ରହୁଛନ୍ତି କେତେବେଳେ ସେ ଗାଦିରୁ ହଟିଯିବେ। ବିଧାୟକ ଏଥିପାଇଁ ଦୁଃଖୀ ଥାଆନ୍ତି, କାରଣ ମନ୍ତ୍ରୀ ପଦ ତାଙ୍କୁ ମିଳୁନାହିଁ। ମନ୍ତ୍ରୀ ଏଥିପାଇଁ ଦୁଃଖୀ, ତାଙ୍କୁ ଭଲ ବିଭାଗ ମିଳୁନାହିଁ। ଭଲ ବିଭାଗ ମିଳିଥିବା ମନ୍ତ୍ରୀ ଏଥିପାଇଁ ଦୁଃଖୀ, ସେ ମୁଖ୍ୟମନ୍ତ୍ରୀ  ହୋଇପାରିଲେ ନାହିଁ। ଗଡକରୀଙ୍କ ଏହି ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା।

Share