Categories: ଜାତୀୟ

କେନ୍ଦ୍ରର ରାଜ୍ୟ ଆଇଟି ମନ୍ତ୍ରୀଙ୍କ ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ,୧୨।୭: କିଛି ଦିନ ହେଲେ ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟର କୌଣସି ନା କୌଣସି କାରଣରୁ ବିବାଦରେ ରହିଆସୁଛି। ଏବେ ପୁଣି ଟୁଇଟର ଚର୍ଚ୍ଚାର ପରିସରକୁ ଆସିଛି। ଇତିମଧ୍ୟରେ କେନ୍ଦ୍ର ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ତଥା ଦକ୍ଷତା ବିକାଶ ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଟୁଇଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଯାଇଥିବା ଜଣାପଡ଼ିଛି। ଅବଶ୍ୟ ପରେ ଏହାକୁ ପୁନରୁଦ୍ଧାର କରାଯାଇଥିଲା। ତେବେ ମାଇକ୍ରୋ ବ୍ଲଗିଂ ସାଇଟ୍‌ରେ ସେମାନଙ୍କ ଆକାଉଣ୍ଟର ନାମ ପରିବର୍ତ୍ତନ କରିବା କାରଣରୁ ଏହି ବ୍ଲୁ ଟିକ୍‌ ହଟିଯାଇଥାଇପାରେ ବୋଲି ଟୁଇଟର ସୂଚନା ଦେଇଛି। ତେବେ ଟୁଇଟରରେ କୌଣସି ନେତାଙ୍କ ବ୍ଲୁ ଟିକ୍‌ ହଟାଇବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଦେଶର ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଯାଇଥିଲା। ପରେ ପୁଣି ଥରେ ତାଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍‌ ଫେରିଥିଲା। ସେହିପରି କିଛି ଦିନ ପୂର୍ବରୁ ଆରଏସ୍‌ଏସ୍‌ ମୋହନ ଭାଗବତଙ୍କ ସମେତ ସଂଘର ଅନ୍ୟ ନେତାଙ୍କ ଟୁଇଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଯାଇଥିଲା। ପରେ ପୁଣି ଏହାର ପୁନରୁଦ୍ଧାର କରାଯାଇଥିଲା।

Share