
ଭୁବନେଶ୍ୱର,୨୦।୩:ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧରୀ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଛନ୍ତି।
ବୈଠକରେ ଓଡ଼ିଶାରେ ଅଧିକ ଦକ୍ଷତା ବିକାଶ କେନ୍ଦ୍ର ଖୋଲିବା ସମ୍ପର୍କରେ ଆଲୋଚନା ହୋଇଥିଲା। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ବଜେଟରେ ଦକ୍ଷତା ବିକାଶ କ୍ଷେତ୍ରରେ ୫ଟି ସେଣ୍ଟର ଅଫ ଏକ୍ସେଲେନ୍ସର ପ୍ରାବଧାନ ରଖାଯାଇଛି। ସେଥିରୁ ଗୋଟିଏ ଓଡ଼ିଶାରେ ଖୋଲାଯିବ ବୋଲି ସେ ସୂଚନା ଦେଇଥିଲେ।
ଏହି ବୈଠକରେ ଓଡ଼ିଶାର ଆଇ.ଟି.ଆଇ ଗୁଡ଼ିକୁ ଅଧିକ ସୁଦୃଢ଼ କରିବା, ଆହୁରି ଅଧିକ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ସ୍ଥାପନ, ଦକ୍ଷତା ବିକାଶ ଶିକ୍ଷାର୍ଥୀଙ୍କ ପାଇଁ Multi-language Training Centre, ଜନଜାତି ବହୁଳ ଅଞ୍ଚଳରେ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ପି.ଏମ.- ଜନମନ ଯୋଜନାରେ ଆଇ.ଟି.ଆଇକୁ ଅନ୍ତର୍ଭୁକ୍ତ କରିବା ଉପରେ ଆଲୋଚନା ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଏ ସବୁ ପ୍ରସ୍ତାବ ଉପରେ ସକାରାତ୍ମକ ମତାମତ ଦେଇ ଖୁବ ଶୀଘ୍ର ଏସବୁ ପ୍ରସ୍ତାବଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ ।