କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କୁ ବି ମିଳୁନି ବେଡ୍‌: କଲେ ଗୁହାରି…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନା ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟଗୁଡ଼ିକର ବିଭିନ୍ନ ହସ୍ପିଟାଲରେ ଏବେ ବେଡ୍‌ର ଅଭାବ ଦେଖାଦେଇଛି। ପରିସ୍ଥିତି ଏଭଳି ହୋଇଛି ଯେ, କେନ୍ଦ୍ର ମନ୍ତ୍ରୀଙ୍କ ଭାଇଙ୍କୁ ମଧ୍ୟ ବେଡ୍‌ ମିଳିବା କଷ୍ଟକର ହୋଇ ପଡ଼ିଛି। ଏହାର ସଦ୍ୟତମ ଉଦାହରଣ କେନ୍ଦ୍ରୀୟ ମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂ ପାଲଟିଛନ୍ତି। ଉତ୍ତରପ୍ରଦେଶ ଗାଜିଆବାଦ୍‌ରେ ବାସ କରୁଥିବା ତାଙ୍କ ଭାଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ତାଙ୍କୁ ହସ୍ପିଟାଲରେ ବେଡ୍‌ ମିଳିବା କଷ୍ଟକର ହେଉଛି। ତେଣୁ ସେ ଟୁଇଟ୍‌ କରି ଭାଇଙ୍କ ପାଇଁ ବେଡ୍‌ ଖଣ୍ଡେ ଯୋଗାଡ କରିବାକୁ ଗୁହାରି କରିଛନ୍ତି। ଏହାକୁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୂଚନା ପରାମର୍ଶଦାତା ଶଲଭମଣି ତ୍ରିପାଠୀ, ଡିଏମ୍‌ ଏବଂ ନୋଏଡାର ବିଧାୟକ ପଙ୍କଜ ସିଂଙ୍କ ସହିତ ଟ୍ୟାଗ୍‌ କରିଛନ୍ତି। ମନ୍ତ୍ରୀଙ୍କ ଟୁଇଟ୍‌ର ଉତ୍ତରରେ ଶଲଭମଣି କହିଛନ୍ତି ଯେ, ସେ ଗାଜିଆବାଦ ଜିଲା ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ମନ୍ତ୍ରୀଙ୍କ ଏଭଳି ଟୁଇଟ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ କରୋନାର ସଙ୍କଟ ଜନକ ସ୍ଥିତି ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି।

Share