Categories: ଜାତୀୟ

କେନ୍ଦ୍ର ମନ୍ତ୍ରୀଙ୍କ କଟାକ୍ଷ, ବିରୋଧୀ କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା…

ନୂଆଦିଲ୍ଲୀ,୧୨।୮: ରାଜ୍ୟ ସଭାରେ ବୁଧବାର ସୁରକ୍ଷାକର୍ମୀ(ମାର୍ଶାଲ)ଙ୍କ ସହ ଧସ୍ତାଧସ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସର ଅଭିଯୋଗ ପରେ କେନ୍ଦ୍ର ମନ୍ତ୍ରୀଙ୍କ ପକ୍ଷରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ଏହାର ପାଲଟା ଜବାବ ଦିଆଯାଇଛି।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ମୌସୁମୀ ଅଧିବେଶନରେ ଯେପରି ବିଶୃଙ୍ଖଳା ଦେଖାଦେଇଛି, ବିରୋଧୀ ଦଳ ପକ୍ଷରୁ ସେନେଇ ଦେଶବାସୀଙ୍କ କ୍ଷମା ମାଗିବା ଉଚିତ। ବିରୋଧୀ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମନ୍ତ୍ରୀମାନେ କଟାକ୍ଷ କରିଛନ୍ତି।
ବିରୋଧୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନେଇ ଚିନ୍ତିତ ନୁହଁନ୍ତି। ଏପରିକି ବିରୋଧୀଦଳ ସଦସ୍ୟମାନେ ମଧ୍ୟ ନୂତନ ମନ୍ତ୍ରୀଙ୍କ ପରିଚୟ ଦେବାକୁ ଅନୁମତି ଦେଇନାହାଁନ୍ତି। କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ବିରୋଧୀମାନେ ଗୃହର କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି ଯେ ବିରୋଧୀ ଦଳ ଗୃହରେ ହଙ୍ଗାମା ସୃଷ୍ଟି କରିବାର ଉଦ୍ଦେଶ୍ୟ ନେଇ ଆସିଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ପ୍ରଥମ ଦିନରୁ ବିରୋଧୀଙ୍କ ମନୋଭାବ ଠିକ ନ ଥିଲା। ଏହା ଅଧିବେଶନ ଶେଷ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଥିଲା। ଗୁରୁବାର ଅପରାହ୍ନରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ, ପ୍ରହ୍ଲାଦ ଯୋଶୀ, ମୁଖତାର୍‌ ଅବ୍ବାସ ନକଭି, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ଅନୁରାଗ ଠାକୁର, ଅର୍ଜୁନ ମେଘୱାଲ, ଭି.ମୁରଲୀଧରନ ଏକ ଗଣମାଧ୍ୟମ ସମ୍ମିଳନୀରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

Share