ବାଲେଶ୍ୱର ଉନ୍ନତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ରୋଡ୍‌ମ୍ୟାପ୍‌: ୫୦କୋଟି ବ୍ୟୟରେ ହେବ ଅନ୍ତଃରାଷ୍ଟ୍ରୀୟ ମାଛ ମାର୍କେଟ୍‌

ବାଲେଶ୍ୱର ଅଫିସ, ୨୪।୮-ବାଲେଶ୍ୱର ଜିଲାବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେତେକ କୁଟୀରଶିଳ୍ପ, ମାଛଚାଷ, ସହରର ଉନ୍ନତୀକରଣ, ଉନ୍ନତ ସ୍ବାସ୍ଥ୍ୟସେବା ଭଳି ବିଭିନ୍ନ ଦିଗକୁ ନେଇ ରୋଡ଼ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏନେଇ ସେ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ, ସାରା ଦେଶରେ କରୋନା ଭଳି ନୈରାଶ୍ୟଜନକ ସ୍ଥିତିରେ ଦେଶର ସ୍ବଦେଶୀ ଶିଳ୍ପ ଉଦ୍ୟୋଗୀ ବାତାବରଣ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ କୁଟୀରଶିଳ୍ପ, ମାଛ, ଦୁଗ୍ଧ ଓ ମାଂସର ପ୍ରକ୍ରିୟାକରଣ, ଆୟୁର୍ବେଦିକ ଔଷଧ ପ୍ରସ୍ତୁତି, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରି ସାମଗ୍ରୀ ଭଳି ବିଭିନ୍ନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଶୁଭାରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ବାଲେଶ୍ୱର ଜିଲାର ଜଳେଶ୍ୱର କିମ୍ବା ଶେରଗଡ଼ ଅଞ୍ଚଳରେ ୫୦କୋଟି ଟଙ୍କା ବ୍ୟୟରେ ଅନ୍ତଃରାଷ୍ଟ୍ରୀୟସ୍ତରୀୟ ମାଛ ମାର୍କେଟ୍‌ କରାଯିବାର ନିଷ୍ପତ୍ତି ହୋଇଛି। ଏଥିସହିତ ମାଛଚାଷ ପାଇଁ ପୋଖରୀ, ମାଛ ହାଟ, ମାଛ ପ୍ରକ୍ରିୟାକରଣ କେନ୍ଦ୍ର ସହ ୪୦ରୁ ୬୦ ପ୍ରତିଶତ ରିହାତିରେ କାମ ଆରମ୍ଭ ହୋଇଛି। ଏପରିକି ଯାଆଁଳ ପ୍ରଜନନ କେନ୍ଦ୍ର ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଉଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶା ସମେତ ଜିଲାରେ ବିଭିନ୍ନ କ୍ଲଷ୍ଟର ମାଧ୍ୟମରେ ନଡ଼ିଆକତା, ଧୂପ, ମହୁ, କୁମ୍ଭାରଚକ, ଜୋତା କାରଖାନା, ବାଉଁଶ, ତମ୍ବା, ପଥର କାରିଗରୀ କାମ ଆଦି କରାଯାଉଛି। କିଛି ନଦୀବନ୍ଧ ଜଳସେଚନ ପ୍ରକଳ୍ପ ସହିତ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକର ଉନ୍ନତି ବ୍ୟବସ୍ଥା ହାତକୁ ନିଆଯାଇଛି। ଜିଲାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବୃକ୍ଷରୋପଣ, ରକ୍ତଦାନ ଓ ଚିକିତ୍ସା ଶିବିର ଆରମ୍ଭ ହୋଇଛି। ବାଲେଶ୍ୱରକୁ ଆସନ୍ତା ୪ବର୍ଷ ମଧ୍ୟରେ ଡିଜିଟାଲ ସହରରେ ପରିଣତ କରାଯିବ। ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଫୁଟ୍‌ ଓଭରବ୍ରିଜ୍‌ ଓ ସଂଯୋଗକାରୀ ରାସ୍ତା ପ୍ରକଳ୍ପ ତିଆରି ହେଉଛି। ପେଟ୍ରୋଲିୟମ୍‌ ସମ୍ବନ୍ଧିତ ବିବିଧ ଶିଳ୍ପ ଲକ୍ଷାଧିକ ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି। ଏଥିରେ ବ୍ୟାପକ ରୋଜଗାର ସୃଷ୍ଟି ହେବ। ଜିଲାରେ ୧୫ଟି ପୋଷ୍ୟ ଗ୍ରାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସ୍ଥିର କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଓ ଶବ ବାହକ ଗାଡ଼ି ଯୋଗାଇ ଦେବା ସହ ଚିକିତ୍ସାଳୟରେ ସ୍ବାଭାବିକ, ଗରମ ଓ ଥଣ୍ଡା ଭଳି ୩ ପ୍ରକାର ପାଣିର ୱାଟର ଏଟିଏମ୍‌ କାର୍ଯ୍ୟ ଆରମ୍ଭ ହୋଇଛି। ଏମ୍‌ସର ସାମଗ୍ରିକ ଉନ୍ନତି କରି ଏହାକୁ ଏକ ଉତ୍କୃଷ୍ଟ କେନ୍ଦ୍ରରେ ପରିଣତ କରିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ସୋଲାର ଲାଇଟ୍‌ର ବ୍ୟବସ୍ଥା କରାଯିବ ବୋଲି ଖବରଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ଭାଜପା ଜିଲାସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share