କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଓଭରଟେକ୍‌ ଘଟଣା: ୫ ଘଣ୍ଟା ଥାନାରେ ଅଟକିଲା ୨ କାର

ରୂପ୍‌ସା, ୨୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦସ ବ୍ଲକ ଅନ୍ତର୍ଗତ ମିରିଗିମୁଣ୍ଡି ଚୂଡ଼ାଖିଆ ପୋଲ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଡ଼ିକୁ ପଶ୍ଚିମବଙ୍ଗ ଅଞ୍ଚଳର ୨ଟି କାର ଓଭରଟେକ୍‌ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଲକ୍ଷ୍ମଣ ନାଥ ଟୋଲପ୍ଲାଜାଠାରୁ ୨ଟି କାରକୁ ଧରି ବସ୍ତା ଥାନା ହେପାଜତରେ ୫ ଘଣ୍ଟା ଧରି ଅଟକ ରଖିଥିଲା। ଫଳରେ ଉଭୟ କାରରେ ଯାଉଥିବା ୨ ପରିବାର ବର୍ଗଙ୍କୁ ଥାନାରେ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡ଼ିଥିଲା।
ସୂଚନା ମୂତାବକ, ଗତ ୨୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ବସ୍ତା ବ୍ଲକ ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ବାଲେଶ୍ୱରରୁ ଆସୁଥିଲେ। ଏହି ସମୟରେ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ୨ଟି କାର (ଡବ୍ଲ୍ୟୁବି ୪୦ ଏଯେ ୫୪୪୫) ଏବଂ (ଡବ୍ଲ୍ୟୁବି ୦୨ ଏଏଚ୍‌ ୩୪୩୬) ବେପରୁଆ ଭାବେ ଦ୍ରୁତ ଗତିରେ ମନ୍ତ୍ରୀଙ୍କ ଗାଡିକୁ ଅତିକ୍ରମ କରିଥିଲା। ମନ୍ତ୍ରୀଙ୍କ ଏସକର୍ଟ ସଙ୍ଗେ ସଙ୍ଗେ ବସ୍ତା ଥାନା ପୋଲିସ ସହାୟତାରେ ଉକ୍ତ ୨ କାରକୁ ଧରି ଥାନାକୁ ନେଇଥିଲା। ୫ ଘଣ୍ଟା ପରେ ମନ୍ତ୍ରୀଙ୍କ ସୁପାରିଶକ୍ରମେ କାରଦ୍ୱୟକୁ ଛଡ଼ାଯାଇଥିଲା।

Share