Categories: ଜାତୀୟ

ପ୍ରକୃତ କୃଷକ କ୍ଷେତରେ କାମ କରୁଛନ୍ତି: କୈଳାଶ ଚୌଧୁରୀ

ନୂଆଦିଲ୍ଲୀ,୬ ।୧୨: ଗତ ପ୍ରାୟ ୧୧ ଦିନ ଧରି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଏବେ କେନ୍ଦ୍ର କୃଷି ରାଜ୍ୟମନ୍ତ୍ରୀ କୈଳାଶ ଚୌଧୁରୀ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ପ୍ରଦର୍ଶନରେ ବସିଥିବା କୃଷକ ପ୍ରକୃତ କୃଷକ ନୁହେଁ । ପ୍ରକୃତ କୃଷକ କ୍ଷେତରେ କାମ କରୁଛନ୍ତି । ବିରୋଧିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ବିରୋଧି ଦଳ କୃଷକଙ୍କୁ ଆନ୍ଦୋଳନ ପାଇଁ ଉସକାଉଛନ୍ତି । ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଲିଖିତ ଭାବେ ନ୍ୟୁନତମ ସମର୍ଥନ ମୂଲ୍ୟ ଅପରିବର୍ତ୍ତିତ ରହିବ ବୋଲି ଦେଇପାରିବେ । ସୂଚନାଯୋଗ୍ୟ, ଗତ ୧୧ ଦିନ ହେବ ଆନ୍ଦୋଳନରେ ବସିଥିବା କୃଷକ କେନ୍ଦ୍ର ସରକାରଙ୍କ ସହ କଥା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇ ପାରିନାହିଁ । ସରକାର କୃଷି ଆଇନକୁ ଫେରାଇ ନିଅନ୍ତୁ ନଚେତ୍ ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଅଡି ବସିଛି କୃଷକ ସଙ୍ଗଠନ । ଇତିମଧ୍ୟରେ ଚୌଧୁରୀଙ୍କ ବିବାଦୀୟ ବୟାନ ରାଜନୀତିକୁ କରିଛି ସରଗରମ ।

Share