ନିଆରା ବାନ୍ଦନା ପର୍ବ: ଉତ୍ସବ ମୁଖର କେନ୍ଦୁଝର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲାରେ କାଳୀ ପୂଜା ଏବଂ ଆଲୋକର ପର୍ବ ଦୀପାବଳିକୁ ୩ ଦିନ ଧରି ଧୂମ୍‌ଧାମରେ ହର୍ଷ ଉଲ୍ଲାସ ମଧ୍ୟରେ ମଧ୍ୟରେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ କୁଡୁମୀ ସମ୍ପ୍ରଦାୟର ଲୋକେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ନିଆରା ବାନ୍ଦନା ପର୍ବ ଆୟୋଜନ କରିଛନ୍ତି। କୁଡୁମୀ ବହୁଳ ବିଭିନ୍ନ ଗାଁରେ ରବିବାର ଯଥା ରୀତିରେ ଗାଁ ମୁଣ୍ଡ ପଡ଼ିଆରେ ବାନ୍ଦନା ପର୍ବ ପାଳିତ ହୋଇଛି।

ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ବଲାଣିପଶି ଗାଁରେ ଗାଁ ଦେହୁରୀ ସ୍ବତନ୍ତ୍ର ଗୋଠାନ ପୂଜା (ଅଣ୍ଡା ମଡା) ସମ୍ପନ୍ନ କରିଛନ୍ତି। କାର୍ଯ୍ୟ କ୍ରମରେ ରାଜ୍ୟ କୁଡୁମି ସେନା ଉପ ସଭାପତି ମିତ୍ରଭାନୁ ମହାନ୍ତ ଯୋଗଦେଇ ସମ୍ପ୍ରଦାୟର ଲୋକଙ୍କୁ ଉତ୍ସାହିତ କରିଥିଲେ। ଏହା ଏକ କୃଷି ଭିତ୍ତିକ ପର୍ବ। କୃଷି କର୍ମରେ ସହାୟକ ହେଉଥିବା ପଶୁ ଧନ ଯଥା ଗୋ ମାତା, ଗୋ ସମ୍ପଦ ଭଳି ପଣ୍ଡା, ମଇଁଷି, ମେଣ୍ଢାକୁ ଏହି ଅବସରରେ ପୂଜାର୍ଚ୍ଚନା କରାଯାଇଥିଲା।

ଏପରିକି କୃଷି କର୍ମରେ ଆଧୁନିକ କୃଷି ଯନ୍ତ୍ର ପାତିର ବହୁଳ ବ୍ୟବହାର ଯୋଗୁ ଗୋ ଧନ ଦିନକୁ ଦିନ କମିବା ପରିବେଶବିତ୍‌ ଏବଂ ଏହି ସମ୍ପ୍ରଦାୟର ବରିଷ୍ଠ ନାଗରିକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି।

ଏହି ଅବସରରେ ପ୍ରତିଦିନ ସନ୍ଧ୍ୟାରେ ଧିଙ୍ଗୁଆନମାନେ ମାଦଳ ବଜାଇ ଗାଁ ଦାଣ୍ଡରେ ଘରକୁ ଘର ବୁଲି ପୀଠା ଖାଇଥାନ୍ତି। କୃଷି ପାଇଁ ବ୍ୟବହୃତ ହଳ ଲଙ୍ଗଳ ଆଉ ଜୁଆଳିକୁ ପୂଜା କରାଯାଇଥାଏ। ଏପରିକି ଘରେ ଘରେ ପିଠା ପଣା ସାଙ୍ଗକୁ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଆଧୁନିକତାର ଅନୁପ୍ରବେଶ ସତ୍ତ୍ୱେ ଏହି ସମ୍ପ୍ରଦାୟର ଲୋକେ ପାରମ୍ପରିକ ମାଟି ପଲମରେ ଏବେ ମଧ୍ୟ ସ୍ବତନ୍ତ୍ର ପିଠା ପ୍ରସ୍ତୁତ କରିଥାନ୍ତି।

୩ ଦିନ ବ୍ୟାପି ହେଉଥିବା ଏହି ବାନ୍ଦନା ପର୍ବର ପ୍ରଥମ ଦିନକୁ ଗୋଠ ପୂଜା, ଦ୍ୱିତୀୟ ଦିନକୁ ଗୋବର୍ଦ୍ଧନ ପୂଜା ବା ଗୁହାଲ ପୂଜା ଏବଂ ତୃତୀୟ ଦିନକୁ ଗୋ ବନ୍ଦାନା ପର୍ବ (ବୁଢ଼ୀ ବନ୍ଦନା) ଭାବେ ପାଳନ କରିଥାନ୍ତି। ଦ୍ୱିତୀୟ ଦିନ ଗୁହାଲ ପୂଜାରେ ଗୁହାଳ, ତୁଳସୀ ଚଉଁରା ଓ ଧାନ ଅମାର ରହୁଥିବା ଘରେ ସ୍ବତନ୍ତ୍ର ପୂଜା କରାଯିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ। ଅନ୍ତିମ ଦିନରେ ମହିଳାମାନେ ଉପବାସ ରହି ଗୋ ବଂଶକୁ ପୂଜା କରି ଥାଆନ୍ତି। ଏହା ସହ ଧନବିଲରୁ ଧାନକେଣ୍ଡା ଆଣି ମାଳ ପ୍ରସ୍ତୁତ କରି ଗୋରୁଙ୍କୁ ଚନ୍ଦନ ସିନ୍ଦୁର ଲଗାଇ ପୂଜା କରିବା ବା ପରେ ଧାନ କେଣ୍ଡା ମାଳକୁ ପିନ୍ଧେଇ ଥାନ୍ତି।

Share