
ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ଆଜି ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ବରଗଡ଼ ସମେତ ସବୁଠି ଉତ୍ସାହ, ଉଦ୍ଦୀପନା ସହକାରେ ଏହି ପର୍ବ ପାଳିତ ହେଉଛି । ହନୁମାନ ମନ୍ଦିର ତଥା ଶକ୍ତି ପୀଠରେ ପୂଜାର୍ଚ୍ଚନା ଚାଲିଛି। ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ବାହାରିଛି । ଏହା ସହିତ ପଣା, ସର୍ବତ ବଣ୍ଟନ କରାଯାଉଛି। ତେବେ ହିନ୍ଦୁ ସମାଜର ଏହି ପ୍ରମୁଖ ପର୍ବ ଅବସରରେ ବରଗଡ-ଭେଡେନ ରାସ୍ତାରେ ମୁସଲମାନ ସମାଜର ଜଣେ ଯୁବକ ମହମ୍ମଦ ଇମତିଆଜ ସର୍ବତ ବଣ୍ଟନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ହିନ୍ଦୁ-ମୁସଲମାନର ନିଆରା ଭାଇଚାରା ପରିଚୟ ଦେଇଛନ୍ତି ଇମତିଆଜ। ତେବେ କେବଳ ଏଥର ନୁହେଁ, ଗତ ୪ବର୍ଷ ଧରି ଭେଡେନ ରାସ୍ତାର ପୁରୁଣା ରିଜର୍ଭ ପୋଲିସ ସମ୍ମୁଖରେ ସେ ହନୁମାନ ଜୟନ୍ତୀ ଅବସରରେ ସରବତ ବଣ୍ଟନ କରି ଆସୁଛନ୍ତି । ପଥଚାରୀମାନଙ୍କୁ ସର୍ବତ ସହିତ ଖିରି ମଧ୍ୟ ବଣ୍ଟନ କରିଥିଲେ। ଇମତିଆଜଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।