ଟିକିରି,୨୮ା୯(ପ୍ରଫୁଲ କୁମାର ବେହେରା ): ରାୟଗଡା ଜିଲା କାଶୀପୁର ବ୍ଲକର ଆଦିବାସୀଙ୍କ ନିଆରା ପର୍ବ ଜନା ସାରଣୀ ପାଳିତ ହୋଇଯାଇଛି। ବିଶେଷକରି ମକା ଚାଷ ଭଲ ଅମଳ ପାଇଁ ଆଦିବାସୀମାନେ ଏହି ନିଆରା ପର୍ବ ପାଳନ କରିଥାନ୍ତି। ଜନା ସାରଣୀ ପୂଜାରେ ପ୍ରଥମେ ଗ୍ରାମ ମୁଣ୍ଡରେ ଗୋଟିଏ ସ୍ଥାନରେ ମାଟିରେ ଅସୁର ପ୍ରତିମୃର୍ତ୍ତି ତିଆରି କରାଯାଇଥାଏ। ପ୍ରଥମ ମକା ଫସଲର ମଞ୍ଜି ଆଣି ଉକ୍ତ ପ୍ରତିମୂର୍ତ୍ତିରେ ଲଗାଯାଇଥାଏ। ପରେ ଉକ୍ତ ପ୍ରତିମୂର୍ତ୍ତି ନିକଟରେ ପାରା, କୁକୁଡା ଓ ଛେଳି ଆଦି ବଳି ଦିଆଯାଇଥାଏ। ଏହି ଅବସରରେ ବିଭିନ୍ନ ଗ୍ରାମର ଗ୍ରାମଦେବୀଙ୍କ ପୂଜକ ବା ବେଜେଣୀମାନେ ନାଚି ନାଚି ପୂଜା ପାଠ କରିବା ସହ ଭଲ ଫସଲ ଅମଳ ପାଇଁ ମା’ଙ୍କୁ ପ୍ରାର୍ଥନା କରିଥାନ୍ତି। ଜମିରେ ଭଲ ଚାଷ ହେବା ସହ ଅଧିକ ଅମଳ ହେବ ଏବଂ ରୋଗପୋକ ନ ଲାଗିବା ପାଇଁ ଏହି ପୂଜା କରାଯାଇଥାଏ ବୋଲି ଆଦିବାସୀମାନେ କହିଛନ୍ତି।