Categories: ଖେଳ

ୟୁନିଟ୍‌-୬ ଆଥଲେଟିକ୍‌ ଆସୋସିଏଶନ୍‌ ବିଜୟୀ

ଭୁବନେଶ୍ୱର, ୪।୧୨ (ସରୋଜ ଜେନା): ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ‘ଗତିକୃଷ୍ଣ ପଣ୍ଡା ମେମୋରିଆଲ’ ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟବଲ ଲିଗ୍‌ରେ ରବିବାର ବିଜୟୀ ହୋଇଛି ୟୁନିଟ୍‌-୬ ଆଥ୍‌ଲେଟିକ ଆସୋସିଏଶନ୍‌। ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟ୍‌ବଲ ଏକାଡେମୀ ପଡ଼ିଆରେ ଖେଳା ଯାଇଥିବା ମ୍ୟାଚ୍‌ରେ ୟୁନିଟ୍‌-୬ ଆଥ୍‌ଲେଟିକ ଆସୋସିଏଶନ୍‌ ୭-୧ରେ ଘାଟିକିଆ ବଜରଙ୍ଗ କ୍ଲବକୁ ପରାସ୍ତ କରିଛି। ବଜରଙ୍ଗ କ୍ଲବ ପକ୍ଷରୁ ୨୩ତମ ମିନିଟ୍‌ରେ ତୋଫାନ ନାୟକ ପ୍ରଥମ ଗୋଲ ଦେଇଥିଲେ। ତେବେ ୩୯ତମ ମିନିଟ୍‌ରେ ରାହୁଲ ମୁଖୀ ଓ ୪୩ତମ ମିନିଟ୍‌ରେ ରାଜେଶ ନାୟକ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧରେ ୨-୧ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ୫ ଗୋଲ ଦେଇଥିଲା ୟୁନିଟ୍‌-୬ ଆଥ୍‌ଲେଟିକ ଆସୋସିଏଶନ୍‌। ଆକାଶ ନାୟକ(୭୮) ଓ ପ୍ରକାଶ ନାୟକ(୮୨) ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିବା ବେଳେ ରାଜେଶ ନାୟକ(୬୮, ୭୧ ଓ ୮୬) ମିନିଟରେ ଆଉ ୩ଟି ଗୋଲ ଦେଇ ହ୍ୟାଟ୍ରିକ ପୂରଣ କରିଥିଲେ। ୪ ଗୋଲ ସ୍କୋର କରିଥିବା ରାଜେଶ ନାୟକଙ୍କୁ ବା’ର ବରିଷ୍ଠ କାର୍ଯ୍ୟକାରୀ ସମିତି ସଦସ୍ୟ ରଜତ ବଲ୍ଲଭ ଦାସ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। ଏମ୍‌ ଏସ୍‌ ବେଗ୍‌ ଖେଳ ପରିଚାଳନା କରିଥିବା ବେଳେ ସୁଶାନ୍ତ ମିଶ୍ର ଓ ଶେଖାଓ୍ବତ ଖାଁ ସହକାରୀ ରେଫରି ରହିଥିଲେ। ସୋମବାର କିସ୍‌ ଫୁଟବଲ କ୍ଲବ ଓ କ୍ଲବ୍‌ ୭୩ ମଧ୍ୟରେ ମ୍ୟାଚ ଖେଳାଯିବ।

Share