Categories: ଜାତୀୟ

ଭାଜପା ବିରୋଧୀଙ୍କୁ ଏକତ୍ରିତ ହେବାକୁ ଚିଠି ଲେଖିଲେ ମମତା

ନୂଆଦିଲ୍ଲୀ, ୩୧।୩ : ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବାକୁ ଯାଉଥିବା ନିର୍ବାଚନୀ ଯୁଦ୍ଧ ଅବସରରେ ଭାଜପାର ବିରୋଧୀ ଦଳର ନେତାଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ। ଏହି ଚିଠି କଂଗ୍ରେସର ସୋନିଆ ଗାନ୍ଧୀଙ୍କ ସମେତ ପ୍ରମୁଖ ୧୦ ବିରୋଧୀ ଦଳର ନେତାଙ୍କୁ ବୁଧବାର ପଠା ଯାଇଛି। ଚଳିତ ବିଧାନସଭା ନିର୍ବାଚନ ପରେ ଭାଜପାକୁ ହଟାଇବା ପାଇଁ ଏକତ୍ରିତ ହୋଇ କେଉଁ ରଣନୀତି ଆପଣେଇବାକୁ ପଡ଼ିବ ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ।

ଗଣତନ୍ତ୍ର ଉପରେ ଭାଜପାର ଆକ୍ରମଣ ବିରୋଧରେ ଏକତ୍ରିତ ହେବାର ସମୟ ଆସିଯାଇଛି। ଦେଶର ନାଗରିକଙ୍କ ପାଇଁ ଏକ ବିଶ୍ୱସନୀୟ ବିକଳ୍ପ ଉପସ୍ଥାପନ କରିବାକୁ ଚିଠିରେ ମମତା ଉଲ୍ଲେଖ କରିଛନ୍ତି। ଦିଲ୍ଲୀ ଗଭର୍ନରଙ୍କୁ ନିର୍ବାଚିତ ସରକାରଙ୍କଠାରୁ ଅଧିକ ଶକ୍ତି ପ୍ରଦାନ କରୁଥିବା ନୂଆ ବିବାଦୀୟ ଆଇନ ଭଳି ୭ଟି ବିବାଦୀୟ ଘଟଣା ତଥା ଆଇନ ସମ୍ପର୍କରେ ଚିଠିରେ ଉଲ୍ଲେଖ କରିଛନ୍ତି ମମତା।

ସୋନିଆଙ୍କ ବ୍ୟତୀତ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାଓ୍ବାର, ଡିଏମ୍‌କେର ଷ୍ଟାଲିନ, ଶିବ ସେନାର ଉଦ୍ଧବ ଠାକରେ, ଓ୍ବାଇଆରଏସ୍‌ର ଜଗନ ମୋହନ ରେଡ୍ଡୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଟିଆରଏସ୍‌ର କେ. ଚନ୍ଦ୍ରଶେଖର ରାଓ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ରାଷ୍ଟ୍ରୀୟ ଜନତା ଦଳର ତେଜସ୍ବୀ ଯାଦବ, ଆମ ଆଦମି ପାର୍ଟିର ଅରବିନ୍ଦ କେଜରିଓ୍ବାଲ ଓ ସିପିଆଇଏମ୍‌ଏଲର ଦୀପାଙ୍କର ଭଟ୍ଟଚାର୍ଯ୍ୟଙ୍କୁ ଏହି ଚିଠି ପଠାଯାଇଛି।

Share