ପୁଣି ଥରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହେଲେ ରାନିଲ ବିକ୍ରମସିଂଘେ

କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥତ୍କ ଓ ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପୁଣି ଥରେ ଶାସନକୁ ଫେରିଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ସହ ବୁଧବାର ରୁଦ୍ଧଦ୍ୱାର ବୈଠକ ପରେ ୟୁନାଇଟେଡ୍‌ ନ୍ୟାଶନାଲ ପାର୍ଟି(ୟୁଏନ୍‌ପି) ନେତା ତଥା ୭୩ ବର୍ଷୀୟ ବିକ୍ରମସିଂଘେ ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀଲଙ୍କାର ୨୨୫ ସଦସ୍ୟ ବିଶିଷ୍ଟ ସଂସଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କ ୟୁନାଇଟେଡ ନ୍ୟାସନାଲ ପାର୍ଟି(ୟୁଏନ୍‌ପି)ର କେବଳ ଗୋଟିଏ ଆସନ ରହିଛି। ଏହା ସତ୍ତ୍ୱେ ବି ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ତରୀଣ ପ୍ରଶାସନର ନେତୃତ୍ୱ ନେବା ପାଇଁ ବିକ୍ରମସିଂଘେ ସମସ୍ତ ଦଳର ସମର୍ଥନ ପାଇଛନ୍ତି। ଆସନ୍ତା ୬ମାସ ଯାଏ ତାଙ୍କ ସରକାର ଚାଲିବ ବୋଲି କୁହାଯାଉଛି। ଦେଶର ପୁରୁଣା ଦଳ ୟୁଏନ୍‌ପି ୨୦୨୦ ନିର୍ବାଚନରେ ଗୋଟିଏ ବି ଆସନ ହାତେଇପାରି ନ ଥିଲା। ସୂଚନାଯୋଗ୍ୟ, ଶ୍ରୀଲଙ୍କାର ୪ଥର ପ୍ରଧାନମନ୍ତ୍ରୀ ହୋଇଥିବା ବିକ୍ରମସିଂଘେଙ୍କୁ ଅକ୍ଟୋବର ୨୦୧୮ ରେ ତତ୍କାଳୀନ ରାଷ୍ଟ୍ରପତି ମାଇଥ୍ରିପାଲା ସିରିସେନା ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ। ତେବେ ମାତ୍ର ୨ମାସ ପରେ ସିରିସେନା ତାଙ୍କୁ ଏହି ପଦରେ ପୁନଃନିଯୁକ୍ତି କରିଥିଲେ।

Share