ପାକିସ୍ତାନରେ ନାବାଳିକାଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କଲା ଜାତିସଂଘ…

ଜେନେଭା,୧୭।୧ : ପାକିସ୍ତାନର ମୌଳିବାଦୀ ଚେହେରା ପୁଣି ଥରେ ବିଶ୍ୱ ସାମ୍ନାରେ ପ୍ରକାଶ ପାଇଛି। ଜାତିସଂଘର ବିଶେଷଜ୍ଞମାନେ ପାକିସ୍ତାନରେ ଧାର୍ମିକ ଅଳ୍ପସଂଖ୍ୟଙ୍କ ନାବାଳିକାଙ୍କ ଅପହରଣ, ବାଧ୍ୟତାମୂଳକ ବିବାହ ଏବଂ ନାବାଳିକ ତଥା ଯୁବତୀମାନଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ବିଶେଷଜ୍ଞମାନେ ସହମତ ହୋଇଛନ୍ତି ଯେ ପାକିସ୍ତାନରେ ଧାର୍ମିକ ମୌଳବାଦୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମିଳିତ ଜାତିସଂଘ ପାକିସ୍ତାନକୁ ଏହି ପ୍ରଥାକୁ ଶେଷ କରିବା ଏବଂ ପୀଡିତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବାକୁ ତୁରନ୍ତ ଉଦ୍ୟମ କରିବାକୁ ଆହ୍ବାନ ଦେଇଛି।

ମିଳିତ ଜାତିସଂଘର ବିଶେଷଜ୍ଞମାନେ ପାକିସ୍ତାନ ସରକାରଙ୍କୁ ଘରୋଇ ଆଇନ ତଥା ଅନ୍ତର୍ଜାତୀୟ ମାନବିକ ଅଧିକାର ପ୍ରତିଶ୍ରୁତି ଅନୁଯାୟୀ ଏହି କାର୍ଯ୍ୟଗୁଡ଼ିକୁ ନିରପେକ୍ଷ ଭାବରେ ବନ୍ଦ କରିବା ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଅପରାଧୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ଜାତିସଂଘ କହିଛି।

ଜାତିସଂଘର ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ୧୩ ବର୍ଷରୁ କମ ବୟସ୍କା ନାବାଳିକାଙ୍କୁ ସେମାନଙ୍କ ପରିବାରରୁ ଅପହରଣ କରାଯାଉଛି। ଘରଠାରୁ ବହୁ ଦୂରରେ ଚୋରା ଚାଲାଣ କରାଯାଉଛି। ବେଳେବେଳେ ସେମାନଙ୍କ ବୟସଠାରୁ ଦୁଇଗୁଣା ବୟସ୍କ ପୁରୁଷମାନଙ୍କୁ ବିବାହ କରାଯାଇ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ଏହା ସମସ୍ତ ଅନ୍ତର୍ଜାତୀୟ ମାନବିକ ଅଧିକାରର ଉଲ୍ଲଂଘନ ବୋଲି ଜାତିସଂଘ କହିଛି।

Share