୨୦୩୦ ସୁଦ୍ଧା ମହିଳାଙ୍କ ପାଇଁ ସମାନତା ଲକ୍ଷ୍ୟ ଅସମ୍ଭବ ବୋଲି କହିଲା ଜାତିସଂଘ,ପ୍ରତ୍ୟେକ କ୍ଷେତ୍ରରେ ଘଟୁଛି ଭେଦଭାବ..

ଜେନେଭା,୯।୯: ମିଳିତ ଜାତିସଂଘର ବିଶ୍ୱ ସଂସ୍ଥା କହିଛି ମହିଳାଙ୍କ ସମାନତା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ହୋଇପଡିଛି। ୨୦୩୦ସୁଦ୍ଧା ବିଶ୍ୱର ଲିଙ୍ଗଗତ ସମାନତା ହାସଲ କରିବାର ଲକ୍ଷ୍ୟ ବର୍ତ୍ତମାନ ସମ୍ପୂୂର୍ଣ୍ଣ ଦୋହଲି ଯାଇଛି। ମିଳିତ ଜାତିସଂଘ କହିଛି ସ୍ବାସ୍ଥ୍ୟ, ଶିକ୍ଷା, ରୋଜଗାର ଏବଂ ରାଜନୈତିକ ତଥା ବ୍ୟବସାୟିକ କେନ୍ଦ୍ରରେ ମହିଳାଙ୍କ ପ୍ରତି ଭେଦଭାବ ଯୋଗୁ ଏହି ଲକ୍ଷ୍ୟ ହାସଲ କରିବା ବର୍ତ୍ତମାନ ଅସମ୍ଭବ ହୋଇପଡିଛି।

ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ଲିଙ୍ଗଗତ ସମାନତା ପାଇଁ କାର୍ଯ୍ୟ କରୁଥିବା ମିଳିତ ଜାତିସଂଘର ଏଜେନ୍ସି ସହଯୋଗରେ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ମହିଳା ଏବଂ ବାଳିକାମାନଙ୍କୁ ଅଧିକାର ଦେବାରେ ବିଶ୍ୱ ବିଫଳ ହୋଇଛି। ‘ଦ ଜେଣ୍ଡର ସ୍ନାପସଟ ୨୦୨୩’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଲିଙ୍ଗଗତ ସମାନତାକୁ ସକ୍ରିୟ ବିରୋଧ କରାଯାଉଛି। ଜାତିସଂଘର ଡେପୁଟି ସେକ୍ରେଟେରୀ ଜେନେରାଲ ମାରିଆ-ଫ୍ରାନ୍ସିସ୍କା ସ୍ପାଟୋଲିଜାନୋ ଏହି ରିପୋର୍ଟ ପ୍ରକାଶ କରି କହିଛନ୍ତି ଲିଙ୍ଗଗତ ସମାନତା ଏକ ଦୂର ଲକ୍ଷ୍ୟରେ ପରିଣତ ହେଉଛି।

ଯୁଦ୍ଧଗ୍ରସ୍ତ ଏବଂ ଆର୍ଥିକ ଦୁର୍ବଳ ଅଞ୍ଚଳରେ ବାସ କରୁଥିବା ମହିଳାମାନଙ୍କ ବିଷୟରେ ସେ କହିଛନ୍ତି ଗତ ବର୍ଷଗୁଡ଼ିକରେ ହୋଇଥିବା ଅଗ୍ରଗତି ମଧ୍ୟ ନୈରାଶ୍ୟ ଜନକ। ମିଳିତ ଜାତିସଂଘ ମହିଳା ଅଧିକାର କ୍ଷେତ୍ରରେ ୧୭ ଟି ଲକ୍ଷ୍ୟ ହାସଲ କରିବା ବିଷୟରେ ଆଲୋଚନା କରିଥିଲା।

ମହିଳାମାନଙ୍କ ମଧ୍ୟରେ ଅତ୍ୟଧିକ ଦାରିଦ୍ର୍ୟ ଦୂରୀକରଣ କରିବାର ଲକ୍ଷ୍ୟ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଆଜି ମଧ୍ୟ ବିଶ୍ୱର ଦଶ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଅର୍ଥାତ ପ୍ରାୟ ୧୦.୩ ପ୍ରତିଶତ ଦିନକୁ୨.୧୫ ଡଲାର ବା ୨୦୦ ଟଙ୍କାରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଯଦି ଏହା ଜାରି ରହେ ତେବେ ୨୦୩୦ ସୁଦ୍ଧା ୮ ପ୍ରତିଶତରୁ ଅଧିକ ମହିଳା ଏହି ସ୍ତରରେ ରହିବେ। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ସାହାରା ଆଫ୍ରିକାରେ ବାସ କରୁଛନ୍ତି ।

ରିପୋର୍ଟ ଅନୁଯାୟୀ, ୨୦୨୩ ସୁଦ୍ଧା ସମଗ୍ର ବିଶ୍ୱରେ ୧୨.୯ କୋଟି ବାଳିକା ବିଦ୍ୟାଳୟ ଯାଇ ନ ପାରନ୍ତି। ଯଦି ଏହି ହାର ଜାରି ରହେ, ୨୦୩୦ ସୁଦ୍ଧା ଏହତ ସଂଖ୍ୟା ୧୧ କୋଟିରେ ପହଞ୍ଚିବ। ମହିଳାମାନଙ୍କୁ ସମ୍ମାନଜନକ କାର୍ଯ୍ୟ ଯୋଗାଇଦେବା ଲକ୍ଷ୍ୟ ମଧ୍ୟ ଦୂରରେ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

 

Share