ଇସ୍ରାଏଲର ସ୍ଥଳ ଆକ୍ରମଣରେ ବାଧା ସାଜିଛନ୍ତି ଆମେରିକା-ବ୍ରିଟେନ…

ଜେରୁଜେଲମ/ଓ୍ବାଶିଂଟନ,୨୧।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ସେନା ଗତ କିଛି ଦିନ ହେବ ଗାଜା ଷ୍ଟ୍ରିପ ଉପରେ ବୋମା ମାଡ କରୁଛି। ଗାଜାରେ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲ ସେନା ପ୍ରସ୍ତୁତ ହେଉଛି। ଏଥିପାଇଁ ଗାଜା ସୀମାରେ ଇସ୍ରାଏଲ ସେନାର ଶହ ଶହ ଟ୍ୟାଙ୍କ ଜମା ହେବାରେ ଲାଗିଛି। ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଆମେରିକା, ବ୍ରିଟେନ ଏବଂ ୟୁରୋପୀୟ ଦେଶମାନେ ବର୍ତ୍ତମାନ ଇସ୍ରାଏଲକୁ ଗାଜାରେ ଗ୍ରାଉଣ୍ଡ ଆକ୍ରମଣ କରିବାକୁ ଅଟକାଉଛନ୍ତି।

ରିପୋର୍ଟରେ କୁହାଯାଇଛି ଇସ୍ରାଏଲ ଯଦ ସ୍ଥଳ ଆକ୍ରମଣ କରେ ତେବେ ହମାସ ଦ୍ୱାରା ଅପହରଣ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ଅସୁବିଧା ହୋଇପାରେ। ସ୍ଥଳ ଆକ୍ରମଣକୁ ବନ୍ଦ କରିବାକୁ ଆମେରିକା ଏବଂ ବ୍ରିଟେନ ଇସ୍ରାଏଲକୁ କହିଛନ୍ତି। କେବଳ କୂଟନୈତିକ ଉପାୟ ଦ୍ୱାରା ବନ୍ଧକମାନଙ୍କୁ ମୁକ୍ତ କରାଯାଇପାରିବ କି ନାହିଁ ତାହା ଜାଣିବା ପାଇଁ ଉଦ୍ୟମ ଚାଲିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ଏବଂ ଇସ୍ରାଏଲର ଗୁପ୍ତଚର ଅଧିକାରୀମାନେ ଆକଳନ କରୁଛନ୍ତି ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ ଇସ୍ରାଏଲର ସ୍ଥଳ ଆକ୍ରମଣ ପରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରିବ କି ନାହିଁ। ଏହାପୂର୍ବରୁ ଆମେରିକା ହମାସ ସହିତ ଲଢ଼େଇରେ ଇସ୍ରାଏଲକୁ ସମ୍ପୂର୍ଣ୍ଣ ସମର୍ଥନ ଘୋଷଣା କରିଥିଲା।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଇସ୍ରାଏଲ ପ୍ରତିପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଆମେରିକା ଏହାର ଯୁଦ୍ଧ ଜାହାଜ ଡୱାଇଟ ଡି ଆଇଜେନହାୱକୁ ଭୂମଧ୍ୟସାଗରକୁ ପଠାଇଛି। ଆମେରିକାର ଅନ୍ୟ ଏକ ଯୁଦ୍ଧ ଜାହାଜ, ୟୁଏସଏସ ଜେରାଲ୍ଡ ଆର ଫୋର୍ଡ, ଭୂମଧ୍ୟସାଗରରେ ନିୟୋଜିତ ହୋଇସାରିଛି । ହମାସ ଦୁଇ ଜଣ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିଛି।

Share