ଆମେରିକାର ଦାବି, ୟୁକ୍ରେନ୍‌ ଆକ୍ରମଣ ପାଇଁ ୭୦ ପ୍ରତିଶତ ପ୍ରସ୍ତୁତି ଶେଷ କରିଛି ରୁଷିଆ…

ଓ୍ବାଶିଂଟନ, ୭।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ୭୦ ପ୍ରତିଶତ ପ୍ରସ୍ତୁତି ଶେଷ କରିଛି। ଆମେରିକାର ଅଧିକାରୀମାନେ ଏହା ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ ରୁଷିଆ ବର୍ତ୍ତମାନ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିବାକୁ ଯାଉଛି। ଫେବୃଆରୀ ମଧ୍ୟଭାଗରୁ ୟୁକ୍ରେନ ସୀମାରେ ଅତିରିକ୍ତ ଲଜିଷ୍ଟିକ୍ସ, ଭାରି ଯନ୍ତ୍ରପାତି ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ସ୍ଥିତି ଅନୁକୂଳ ହେଲେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାର ଯୋଜନା କରିଥିବା ଆମେରିକା ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏକ ଲକ୍ଷରୁ ଅଧିକ ରୁଷିଆ ସୈନ୍ୟ ପୂର୍ବରୁ ସୀମାରେ ମୁତୟନ ହୋଇଛନ୍ତି। ତେବେ ରୁଷିଆ ଏହାକୁ ଆକ୍ରମଣର ପ୍ରସ୍ତୁତି ବୋଲି ହେଉଥିବା ଆମେରିକାର ବାରମ୍ବାର ଅଭିଯୋଗକୁ ଅସ୍ବୀକାର କରି କହିଛି ଯେ ସୈନ୍ୟମାନେ ସେଠାରେ ଅଭ୍ୟାସ କରୁଛନ୍ତି।

ଆମେରିକା ଏବଂ ନାଟୋ ସହଯୋଗୀମାନେ ଅଭିଯୋଗ କରିଛନ୍ତି, ଏଭଳି ମନ୍ତବ୍ୟ ଦେବା ପଛରେ ରୁଷିଆର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୟୁକ୍ରେନକୁ ନିଜର ପ୍ରତିରକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସୁଯୋଗ ନ ଦେବା। ବର୍ତ୍ତମାନ ପାଣିପାଗ କାରଣରୁ ରୁଷିଆ ଆକ୍ରମଣ କରୁନାହିଁ। ଫେବୃଆରୀ ୧୫ରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଆକ୍ରମଣ ପାଇଁ ସବୁଠାରୁ ଅନୁକୂଳ ସମୟ ଥିବାରୁ ରୁଷିଆ ଆଗକୁ ବଢ଼ିବାର ଯୋଜନା କରୁଛି।
ଏହା ସହିତ ଅଧିକାରୀମାନେ କହିଛନ୍ତି ୟୁକ୍ରେନ ଉପରେ ଆକ୍ରମଣ ହେଲେ ୫୦ ହଜାରରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଆକ୍ରମଣର କିଛି ଦିନ ମଧ୍ୟରେ ୟୁକ୍ରେନର ରାଜଧାନୀ ରୁଷିଆର ଅଧୀନରେ ରହିବ, ଯାହା ଫଳରେ ୟୁରୋପରେ ଏକ ବଡ଼ ଧରଣର ଶରଣାର୍ଥୀ ସଙ୍କଟ ଦେଖାଦେଇପାରେ।

 

Share