ପାକିସ୍ତାନକୁ କ୍ରୀତଦାସ କରିଛି ଆମେରିକା, କହିଲେ ଇମ୍ରାନ୍‌…

ଇସଲାମାବାଦ୍‌, ୧୬।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜାରଦାରୀଙ୍କୁ ଟାର୍ଗେଟ କରିଛନ୍ତି। ଇମ୍ରାନ୍‌ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ ସମୟରେ ବିଲାୱାଲ ଆମେରିକାର ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଆର୍ଥିକ ସହାୟତା ଭିକ୍ଷା ଭଳି ମାଗିବେ ଯାହା ଦ୍ୱାରା ଇମ୍ରାନ ଯେପରି କ୍ଷମତାକୁ ଫେରି ପାରିବେ ନାହିଁ। ଇମ୍ରାନ କହିଛନ୍ତି ଯେ ବିଲାୱାଲ ବ୍ଲିଙ୍କେନଙ୍କ କଡ଼ା କରି କୌଣସି କଥା କହି ପାରିବେ ନାହିଁ। ଏଭଳି ସାହସ ତାଙ୍କର ନାହିଁ। କାରଣ ବ୍ଲିଙ୍କେନ ଜାଣନ୍ତି ଯେ ବିଲାୱାଲ ଏବଂ ତାଙ୍କ ପିତା ଆସିଫ ଅଲି ଜାରଦାରୀ କେଉଁଠାରେ ଟଙ୍କା ଲୁଚାଇ ରଖିଛନ୍ତି।

ରିପୋର୍ଟ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେରିକାର ବୈଦେଶିକ ସଚିବ ବ୍ଲିଙ୍କେନ ଏହି ତଥ୍ୟଗୁଡିକ ବିଷୟରେ ଅବଗତ ଅଛନ୍ତି ଏବଂ ଏହି କାରଣରୁ ବିଲାୱାଲ ଆମେରିକାକୁ ଅସୁବିଧାରେ ପକାଇବାକୁ ସାହସ କରିବେ ନାହିଁ। ଇମ୍ରାନ୍‌ କହିଛନ୍ତି ଯେ ଯେହେତୁ ବିଲାୱାଲଙ୍କ ସମସ୍ତ ସମ୍ପତ୍ତି ଦେଶ ବାହାରେ ଗଚ୍ଛିତ ଅଛି, ତେଣୁ ସେ ଆମେରିକା ବିରୋଧରେ ଛିଡ଼ା ହୋଇ ପାରିବେ ନାହିଁ। ନଚେତ୍‌ ସେ ସବୁକିଛି ହରାଇବେ। ଆମେରିକା ପାକିସ୍ତାନକୁ କ୍ରୀତଦାସ କରିଥିବା ଇମ୍ରାନ୍‌ କହିଛନ୍ତି।

ଇମ୍ରାନ ବିଲାୱାଲ ଏବଂ ତାଙ୍କ ପିତା ଆସିଫ ଅଲି ଜରଦାରୀଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଛନ୍ତି ଏବଂ ସେମାନଙ୍କ ସମ୍ପତ୍ତିକୁ ସାରା ବିଶ୍ୱରେ ଲୁଚାଇ ରଖିଛନ୍ତି। ଏଭଳି ସରକାରକୁ ପାକିସ୍ତାନର ଲୋକମାନେ କଦାପି ଗ୍ରହଣ କରିବେ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ସହ କିଛି ଘଟେ ତେବେ ପାକିସ୍ତାନୀ ରାଷ୍ଟ୍ର ତାଙ୍କ ତରଫରୁ ନ୍ୟାୟ ଲୋଡିବେ। ଏହା ପୂର୍ବରୁ ସିଆଲକୋଟ ରାଲିରେ ଇମ୍ରାନ କହିଥିଲେ ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି। ସେ ଏକ ଭିଡିଓ ରେକର୍ଡ କରିଛନ୍ତି ଯେଉଁଥିରେ ସମ୍ପୃକ୍ତ ଲୋକଙ୍କ ନାମ ଅନ୍ତର୍ଭୁକ୍ତ। ଏହାକୁ ନେଇ ପାକିସ୍ତାନରେ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି।

Share