ଆକାଶରୁ ଆକ୍ରମଣ ନିଷ୍ଫଳ କଲା ଆମେରିକା

କାବୁଲ, ୩୧ା୮: ଆଫଗାନିସ୍ତାନରୁ ଆମେରିକୀୟ ଓ ଏହାର ଆଫଗାନ୍‌ ସହଯୋଗୀଙ୍କୁ ଉଦ୍ଧାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିବାବେଳେ ଆତଙ୍କବାଦୀ ଗୋଷ୍ଠୀ ଏଥିରେ ବାଧା ଉପୁଜାଇବାକୁ ଚେଷ୍ଟା ଚଳାଇଛନ୍ତି। ହମିଦ୍‌ କାର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଗତ ୨୬ ତାରିଖ ଆତ୍ମଘାତୀ ବିସ୍ଫୋରଣରେ ୧୩ ଆମେରିକୀୟ ସୈନ୍ୟ ନିହତ ହେବା ପରେ ଆମେରିକା ଟାର୍ଗେଟରେ ରହିଛି ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌-ଖୋରାସାନ୍‌। ପ୍ରତିଶୋଧ ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଚେତାବନୀ ସତ୍ତ୍ୱେ ଆମେରିକା କାର୍ଯ୍ୟକୁ ସହଜ ନ କରିବା ଉଦ୍ୟମରେ କାବୁଲ ଏୟାରପୋର୍ଟକୁ ପୁଣି ଟାର୍ଗେଟ କରିଛି ଆଇଏସ୍‌ଆଇଏସ୍‌। ରବିବାର ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ ହେବା ପରେ ସୋମବାର ମଧ୍ୟ ବିମାନବନ୍ଦରକୁ ରକ୍ତରଞ୍ଜିତ କରିବାକୁ ଯୋଜନା ହୋଇଥିଲା। ତେବେ ଆମେରିକାର ଆଣ୍ଟି ମିଶାଇଲ ଡିଫେନ୍ସ ସିଷ୍ଟମ ଏହାକୁ ନିଷ୍ଫଳ କରିଛି।
କାବୁଲ ବିମାନବନ୍ଦରକୁ ଟାର୍ଗେଟ କରି ସୋମବାର ସେଠାକୁ ୫ଟି ରକେଟ୍‌ ଛଡ଼ାଯାଇଥିଲା। ହେଲେ ଏୟାରପୋର୍ଟରେ ଲାଗିଥିବା ଆମେରିକାର ଆଣ୍ଟି-ମିଶାଇଲ ଡିଫେନ୍ସ ସିଷ୍ଟମ୍‌ ସେଗୁଡ଼ିକୁ ମାରି ଖସାଇଛି। ସହରର ଉତ୍ତର ଭାଗରୁ ଏହି ରକେଟଗୁଡିକ ଛଡ଼ାଯାଇଥିବା ଆଫଗାନିସ୍ତାନର ପୂର୍ବତନ ସରକାରରେ କାର୍ଯ୍ୟ କରୁଥିବା ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି। ରକେଟ ଛଡ଼ାଯିବାକୁ ନେଇ ଆଇଏସ୍‌ଆଇଏସ୍‌ ଗୋଷ୍ଠୀ ନିଜକୁ ଦାୟୀ କରିଛି। କତ୍ୟୁଶ ରକେଟ୍‌ ଦ୍ୱାରା ବିମାନବନ୍ଦରକୁ ଟାର୍ଗେଟ କରାଯାଇଥିବା ଏହି ଆତଙ୍କବାଦୀ ଗୋଷ୍ଠୀର ନାଶେର ନ୍ୟୁଜ୍‌ ଟେଲିଗ୍ରାମ ଚ୍ୟାନେଲରେ କହିଛି। ଆକ୍ରମଣ କରାଯାଇଥିବା ବାବଦରେ ହ୍ବାଇଟ୍‌ହାଉସ୍‌ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି। ସେଠାରେ ଉଦ୍ଧାର କାମ ଜାରି ରହିଥିବା ଆମେରିକା କହିଛି। ଏଥିରେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ସାମ୍‌ନାକୁ ଆସିଥିବା ଫଟୋ ଓ ଭିଡିଓରେ ଏୟାରପୋର୍ଟର ବିଭିନ୍ନ ସ୍ଥାନରେ ଧୂଆଁ ଉଠୁଥିବାର ଦେଖିବାକୁ ମିଳିଛି। କାବୁଲସ୍ଥିତ ଖୁଓ୍ବଜା ବୁଘ୍ରାର ଗୁଲାଇ ଅଞ୍ଚଳରେ ଏକାଧିକ ଆତ୍ମଘାତୀ ଆତଙ୍କବାଦୀ ଯାଉଥିବା ଥିବା ଗାଡ଼ିକୁ ଟାର୍ଗେଟ କରି ଆମେରିକା ରବିବାର ଡ୍ରୋନ୍‌ ଯୋଗେ ଆକ୍ରମଣ କରିଥିଲା। ଫଳରେ ଏକ ବଡ଼ଧରଣର ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଥିଲା। ଏହି ଆକ୍ରମଣରେ ଏକାଧିକ ଶିଶୁଙ୍କ ସମେତ ପ୍ରାୟ ୧୦ ଆଫଗାନ୍‌ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

 

Share