ଚନ୍ଦ୍ରରେ ଆଣବିକ ବିସ୍ଫୋରଣ କରିବାକୁ ଚାହୁଁଥିଲା ଆମେରିକା, ଗୁପ୍ତ ସୂଚନାର ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ, ୨୫।୪ : କେତେକ ଗୁପ୍ତ କାଗଜପତ୍ରରୁ ଜଣାପଡିଛି ଯେ ଆମେରିକା ଚନ୍ଦ୍ରରେ ଆଣବିକ ପରୀକ୍ଷଣ ଅନ୍ତର୍ଗତ ବିସ୍ଫୋରଣ କରିବାକୁ ଚାହୁଁଥିଲା। ଆମେରିକା ସରକାରଙ୍କ ଆଡଭାନ୍ସଡ ଏରୋସ୍ପେସ ଥ୍ରେଡ ଆଇଡେଣ୍ଟିଫିକେସନ ପ୍ରୋଗ୍ରାମ (ଏଏଟିଆଇପି)ର ପର୍ଦ୍ଦାଫାଶ୍‌ ହୋଇଥିବା ଗୁପ୍ତ କାଗଜପତ୍ରରେ ଏହା ଉଲ୍ଲେଖ କରାଯାଇଛି। ଆମେରିକା ଚନ୍ଦ୍ରରେ ଭିଜିବିଲିଟି କ୍ଳୋକ୍ସ ଏବଂ ଆଣ୍ଟିଗ୍ରାଭିଟି ଉପକରଣ, ଟ୍ରାଭର୍ସେବଲ ୱର୍ମହୋଲ ଏବଂ ଆଣବିକ ବିସ୍ଫୋରଣ କରି ଚନ୍ଦ୍ରରେ ସୁଡ଼ଙ୍ଗ କରିବା ପାଇଁ ଯୋଜନା କରିଥିଲା।

ତେବେ ବର୍ତ୍ତମାନ ଏଏଟିଆଇପି ଏନେଇ ନିଷ୍କ୍ରିୟ ରହିଛି। ଏହି ଅନୁଷ୍ଠାନ ଆଉ କାର୍ଯ୍ୟ କରୁନାହିଁ।
ରିପୋର୍ଟ ଅନୁଯାୟୀ, ଏହି ଏସମ୍ପର୍କିତ କୌଣସି ପ୍ରଯୁକ୍ତିବିଦ୍ୟାକୁ ଆଗେଇନେବାର ପ୍ରୟାସ କରାଯାଇ ନ ଥିଲା। ଭାରତରେ ରହିଥିବା ସୂଚନା ଅଧିକାର (ଆରଟିଆଇ) ପରି ଫ୍ରିଡମ ଅଫ ଇନଫରମେସନ ଆକ୍ଟ (ଏଫଓଆଇଏ) ଅନ୍ତର୍ଗତ ଏହି ଗୁପ୍ତ କାଗଜପତ୍ର ସମ୍ପର୍କରେ ତଥ୍ୟ ହାସଲ କରାଯାଇଛି। ଏଥିରେ ପୂର୍ବତନ ସିନେଟର ହ୍ୟାରି ଦାୟୀ ବୋଲି କୁହାଯାଉଛି। ଏହି ଯୋଜନା କଦାପି ବାସ୍ତବ ରୂପ ନେଇ ନାହିଁ। ଦ ସନ୍‌ ରିପୋର୍ଟ ଅନୁସାରେ ଏଥିରେ ଥର୍ମୋନ୍ୟୁକ୍ଲିୟର ଉପକରଣ ବ୍ୟବହାର କରି ଚନ୍ଦ୍ର ପୃଷ୍ଠରେ ବିସ୍ଫୋରଣ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଥିଲା।

୧୬୦୦ ପୃଷ୍ଠାର ଗୁପ୍ତ କାଗଜପତ୍ରରେ ଏଏଟିଆଇପି ଦ୍ୱାରା ପରିଚାଳିତ ଅନୁସନ୍ଧାନର ବହୁ ଚାଞ୍ଚଲ୍ୟକର ବିବରଣୀଗୁଡିକ ପ୍ରକାଶ ପାଇଛି। ଏହା ଏକ ଗୁପ୍ତ ସଂଗଠନ ଥିଲା ଏବଂ ଯେତେବେଳେ ଏହାର ପୂର୍ବତନ ନିର୍ଦ୍ଦେଶକ ପେଣ୍ଟାଗନରୁ ଇସ୍ତଫା ଦେଇଥିଲେ ସେତେବେଳେ ଏହା ବିଷୟରେ ସୂଚନା ସାମ୍ନାକୁ ଆସିଥିଲା।

ଚନ୍ଦ୍ର ଉପରେ ଆଣବିକ ଆକ୍ରମଣ ଯୋଜନା କରୁଥିବା ଏହି ଏଜେନ୍ସି ଆମେରିକାର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଥିଲା ଏବଂ ୟୁଏଫ୍‌ଓ ବିଷୟରେ ମଧ୍ୟ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଆପୋଲୋ ମିଶନ ବନ୍ଦ ହେବାର ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଆମେରିକା ସରକାର ଏବଂ ନାସା ଚନ୍ଦ୍ର ପୃଷ୍ଠକୁ ପୁଣି ଯିବା ଲାଗି ପ୍ରୟାସ କରୁଛନ୍ତି। ଏଭଳି ପରିସ୍ଥିତିରେ, ଏହି ନୂତନ ଗୁପ୍ତ ତଥ୍ୟ ବିଷୟରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଆଣବିକ ବିସ୍ଫୋରଣ କରି ଚନ୍ଦ୍ରରେ ସୁଡ଼ଙ୍ଗ କରାଯିବାର ପ୍ରକୃତରେ ଯୋଜନା ଥିଲା କି ନାହିଁ ତାହା ଉପରେ ଅଧିକ ଆଲୋଚନା କରାଯିବାକୁ ଦାବି ହେଉଛି।

Share